ପାଟନା,୨୭।୧: ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ରେଳବିଭାଗରେ ‘ଲ୍ୟାଣ୍ଡ ଫର୍ ଜବ୍’ ମାମଲାରେ ଇଡିର ଚାର୍ଜଶିଟ୍କୁ ଗ୍ରହଣ କରି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ରାବ୍ରି, ମିସା ଭାରତୀ, ହେମା ଯାଦବ, ହୃଦୟାନନ୍ଦ ଚୌଧୁରୀ, ଅମିତ କାଟାଲ ଏବଂ ୨ କମ୍ପାନୀ ବିରୋଧରେ ସମନ ଜାରି କରିଛନ୍ତି। ଫେବୃଆରୀ ୯ରେ ତାଙ୍କୁ ହାଜର ହେବାକୁ କୁହାଯାଇଛି।
ଏହି ଦୁର୍ନୀତିରେ ଟଙ୍କା ହେରଫେର ଅଭିଯୋଗର ଯାଞ୍ଚ ବେଳେ ଇଡି ନିକଟରେ ଏକ ଚାର୍ଜଶିଟ ଦାଖଲ କରିଥିଲା। ଚାର୍ଜଶିଟରେ ଇଡି ରାବ୍ରି ଦେବୀ, ମିସା ଭାରତୀ, ହେମା ଯାଦବ, ହ୍ରଦୟାନନ୍ଦ ଚୌଧୁରୀ ଏବଂ ୨ କମ୍ପାନୀକୁ ଅଭିଯୁକ୍ତ ଭାବରେ ନାମିତ କରିଛି। ଏହି ମାମଲାରେ ଇଡି ଏକ ୪୭୫୧ ପୃଷ୍ଠାର ଚାଜଶିଟ୍ ଦାଖଲ କରିଛି।
ବାସ୍ତବରେ ମାମଲାଟି ୧୪ ବର୍ଷ ପୁରୁଣା। ଏହି ମାମଲାରେ ଅଭିଯୋଗ ହେଉଛି ଯେ ଲାଲୁ ପ୍ରସାଦ ଯାଦବ ଯେତେବେଳେ ରେଳମନ୍ତ୍ରୀ ଥିଲେ ସେତେବେଳେ ସେ ରେଳବାଇରେ ଚାକିରି ବଦଳରେ ଜମି ନେଇଥିଲେ। ଯେତେବେଳେ ଦେଶରେ ୟୁପିଏ ସରକାର ଥିଲା, ଲାଲୁ ପ୍ରସାଦ ଯାଦବ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ। ଏହି ଅଭିଯୋଗ ସମ୍ପର୍କରେ ସିବିଆଇ ୧୮ ମଇ ୨୦୨୨ ରେ ପଞ୍ଜୀକୃତ କରିଥିଲା।