Categories: ଖେଳ

‘କ୍ରୀଡ଼ା ଖବରରେ ଲୁଚି ରହିଥାଏ ଏକ ଭିନ୍ନ ପ୍ରେରଣା’

ଭୁବନେଶ୍ୱର, ୩ା୭ (ବିଜୟ ରଣା): ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା) ତରଫରୁ ସ୍ଥାନୀୟ ମଦର୍ସ ପବ୍ଲିକ ସ୍କୁଲ ବାସ୍କେଟବଲ କୋର୍ଟରେ ବିଶ୍ୱ କ୍ରୀଡ଼ା ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅଲିମ୍ପିଆନ ଶ୍ରାବଣୀ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ସାମ୍ବାଦିକତା କେବଳ ଖବର ସଂଗ୍ରହ କରି ତାହାକୁ ପ୍ରକାଶ କରିବା ବୋଲି ଆମେ ଭାବିଥାଉ। କ୍ରୀଡ଼ା ଖବରଦାତାମାନେ ଖେଳ ବିଷୟରେ ଲେଖିଥାନ୍ତି। କିନ୍ତୁ ଏହି ଲେଖା ଭିତରରେ ଲୁକ୍କାୟିତ ରହିଥାଏ ଏମିତି କିଛି ପ୍ରେରଣା, ଯାହା ଛୋଟପିଲା ଓ ଯୁବବର୍ଗଙ୍କୁ ବେଶ ପ୍ରଭାବିତ କରିଥାଏ। ତାଙ୍କ ଖେଳ ଜୀବନ ମଧ୍ୟ ଏମିତି ଆରମ୍ଭ ହୋଇଥିଲା। କ୍ରୀଡ଼ା ପୃଷ୍ଠାରେ ବାହାରିଥିବା ଜଣକ ଫଟୋ ଦେଖି ସେ ଉତ୍ସାହିତ ହୋଇପଡ଼ିଥିଲେ। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ସେ ଆଜି ଯେଉଁଠାରେ ପହଞ୍ଚତ୍ଛନ୍ତି, ତାହାର ପ୍ରଥମ ଶ୍ରେୟ ସେ କ୍ରୀଡ଼ା ଖବରଦାତରମାନଙ୍କୁ ଦେବେ ବୋଲି ଶ୍ରାବଣୀ କହିଥିଲେ। ଏହି ଅବସରରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲର ପିଲାମାନଙ୍କୁ ନେଇ ବ୍ଲୁ ଓ ରେଡ୍‌ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି ଯୋଗ ଦେଇଥିଲେ। ଓସ୍‌ଜା କାର୍ଯ୍ୟକାରୀ ସଭାପତି କେ. ରବି କହିଥିଲେ, କ୍ରୀଡ଼ା କେବଳ ଜୀବନକୁ ସୁସ୍ଥ ସବଳ କରିନ ଥାଏ, ଏହାର କ୍ୟାରିୟର ଗଢ଼ିବାରେ ମଧ୍ୟ ସହାୟକ ହୋଇଥାଲ। ଓସ୍‌ଜାର ବରିଷ୍ଠ ଉପସଭାପତି ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାପତି ସନ୍ଦୀପ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଓସ୍‌ଜା ଯୁଗ୍ମ ସମ୍ପାଦକ ସୁରେଶ ସ୍ବାଇଁ, କୋଷାଧ୍ୟକ୍ଷ ଦେବାଶିଷ ସୁନ୍ଦରାୟ, ସଦସ୍ୟ ସନ୍ତୋଷ ମହାନ୍ତି, କୁମାର ବିମଳ ଓ ଶକ୍ତି ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Share