Categories: ଖେଳ

ବିର୍ସା ମୁଣ୍ଡାରେ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରୀଛାତ୍ର

ରାଉରକେଲା ଅଫିସ, ୨୧।୧: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୧୬ ଜଣ ଛାତ୍ରୀଛାତ୍ର ଶୁକ୍ରବାର ରାଉରକେଲା ଆସି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍‌ ମ୍ୟାଚ ଦେଖିଛନ୍ତି। ସେମାନେ ବିମାନ ଯୋଗେ ଆସିଥିଲେ ଏବଂ ବେଶ୍‌ ଉତ୍ସାହିତ ଥିଲେ। ଏହି ସୁଯୋଗ ପାଇଥିବାରୁ ସେମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିଲାଗି ଧନ୍ୟବାଦ ଜଣାଇଛନ୍ତି।
ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ତତ୍ତ୍ୱାବଧାନରେ ଏହି ଛାତ୍ରୀଛାତ୍ରମାନେ ଆସିଥିଲେ। ସୁନ୍ଦରଗଡ଼ ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ବାଗତ କରାଯାଇଥିଲା। ସ୍ବତନ୍ତ୍ର ବସ୍‌ରେ ସେମାନଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା।
ଷ୍ଟାଡିୟମରେ ଯେପରି ସୁବିଧାରେ ମ୍ୟାଚ ଦେଖିପାରିବେ ସେଥିଲାଗି ଭିନ୍ନକ୍ଷମମାନଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ସେମାନଙ୍କ ଲାଗି ସିଟ୍‌ ସଂରକ୍ଷିତ ଥିଲା। ବିମାନ ଯାତ୍ରା ସାଙ୍ଗକୁ ହକି ମ୍ୟାଚ ଦେଖା ସେମାନଙ୍କୁ ଆନନ୍ଦିତ କରିଥିଲା। ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମିଶ୍ର ମେମୋରିଆଲ ସ୍କୁଲ ଫର୍‌ ଦ ଏଚଆଇ, ଏସ୍‌ଆଇଇପି, ଜୁଏଲ୍ସ ଇଣ୍ଟରନ୍ୟାଶନାଲ ଚେତନା ଇନଷ୍ଟିଚ୍ୟୁଟ୍‌ ଫର ଇଣ୍ଟେଲେକଚୁଆଲ ଡିଜାବିଲିଟି ଏବଂ ଏନ୍‌ସିଏସ୍‌ସିଡିଏର ମୋଟ ୧୬ ଜଣ ଭିନ୍ନକ୍ଷମ ଛାତ୍ରୀଛାତ୍ର ସେମାନଙ୍କ ଅଭିଭାବକ ଏବଂ ସାମାଜିକ ସୁରକ୍ଷା ତଥା ସଶକ୍ତୀକରଣ ବିଭାଗର ଅଧିକାରୀମାନେ ରାଉରକେଲା ଆସିଛନ୍ତି।
ରାଉରକେଲାରେ ଏହି ଛାତ୍ରୀଛାତ୍ରୀମାନଙ୍କୁ ସ୍ବାଗତ କରାଯିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡ଼ାସିଂ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Share