ବୋଲ ମାନୁ ନ ଥିବା ପୁଅ

ପ୍ରତ୍ୟେକ ହିରଣ୍ୟକଶିପୁ ଜାତୀୟ ପିତାମାନଙ୍କ ପାଇଁ ପ୍ରହ୍ଲାଦଙ୍କ ଭଳି ପୁଅମାନେ ଜଣେ ଜଣେ ବୋଲ ମାନୁ ନ ଥିବା ଅବାଧ୍ୟ ସନ୍ତାନ। ହରିନାମ ପ୍ରତି କାଳ କାଳ ଧରି ଅନ୍ତରରେ ଘୃଣା ପ୍ରକଟ କରିଆସୁଥିବା ହିରଣ୍ୟକଶିପୁଙ୍କ ପାଇଁ ପୁତ୍ର ପ୍ରହ୍ଲାଦର ଅତିରିକ୍ତ ହରିପ୍ରୀତି ଥିଲା ଅତ୍ୟନ୍ତ ଅତୃପ୍ତିକର। ସେ ବହୁମତେ ପୁଅଟିକୁ ବୁଝାଇଲେ। ହରି ତାଙ୍କ ରାକ୍ଷସକୁଳର ଅରି ବୋଲି ଅଭିହିତ କରି ତାଙ୍କ ନାମଠାରୁ ବି ଦୂରେଇ ରହିବାକୁ ବହୁଭାବେ ପ୍ରବର୍ତ୍ତାଇଲେ। ମାତ୍ର ପ୍ରହ୍ଲାଦଙ୍କୁ ସାମାନ୍ୟ ପ୍ରଭାବିତ କରିପାରି ନ ଥିଲା ପିତାଙ୍କର ଯାବତୀୟ ହରିଦ୍ରୋହୀ ମନ୍ତବ୍ୟ। ଏହା ପରର କାହାଣୀ ସର୍ବଜନବିଦିତ। ନିଜ ନିଜର ଆଦର୍ଶର ଏଇ ଯୁଦ୍ଧରେ ପିତାପୁତ୍ରଙ୍କ ମଧ୍ୟରେ କିଏ ଜିତିଲା ଓ କିଏ ହାରିଲା, ତାହାର ପ୍ରମାଣ ପୁରାଣ ବହନ କରିଆସୁଛି। ତେବେ ଏ ପ୍ରକାର ଯୁଦ୍ଧ ଯେ କେବଳ ସେଇ ପୁରାଣ ଯୁଗରେ ହେଉଥିଲା ତାହା ନୁହେଁ, ଏଇ ଆଧୁନିକ ଯୁଗରେ ବି ସଂଘଟିତ ହୋଇ ଚାଲିଛି ସନ୍ତାନ ଏବଂ ଜନ୍ମଦାତାମାନଙ୍କ ମଧ୍ୟରେ ଆଦର୍ଶ ଓ ଅନାଦର୍ଶର ଲଢ଼େଇ।
ଯାବତୀୟ ଅନ୍ୟାୟ ଅନାଚାରକୁ ପୁଞ୍ଜି କରି ସଫଳତା ଗୋଟାଉଥିବା ବାପା ଜଣେ ତା’ ପୁଅକୁ ସେଇ ରାସ୍ତାରେ ଚାଲିବାକୁ ବାଟ କଢ଼ାଇନେଲେ, ପୁଅ ପ୍ରତିବାଦ କରେ। ଏମିତି ଅବାଧ୍ୟ ସନ୍ତାନକୁ ନେଇ ବାପା ବିଚଳିତ ବୋଧକରେ। ସେ ଚେତାବନୀ ଶୁଣାଏ- ”ଏପରି କଲେ ଢେର୍‌ ପଛରେ ପଡ଼ିଯିବୁରେ ପୁଅ! ସମୟର ଆହ୍ବାନକୁ ମାନି ବାଟ ଚାଲି ନ ଶିଖିଲେ କେବେ ବି ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରିବୁ ନାହିଁ।“ ଦୃଢ଼ମନା ପୁଅ ନିଜ ଭିତରେ ବିପ୍ଳବୀ ହୋଇଉଠେ ଓ ଜବାବ ଦିଏ – ”ଲୋଡ଼ା ନାହିଁ ମୋର ସେଇ ଲକ୍ଷ୍ୟସ୍ଥଳ, ଯେଉଁଠି ପହଞ୍ଚତ୍ବାକୁ ହେଲେ ନିଜ ସଂସ୍କାର ଓ ସ୍ବାଭିମାନକୁ ପଛକୁ ଠେଲି ଆଗକୁ ବଢ଼ିବାକୁ ହୁଏ; ନିଜ ମୌଳିକତାକୁ ବଳି ଦେଇ ଅନ୍ୟକୁ ଆପଣାଇବାକୁ ହୁଏ!“ଆଃ, ଯୁବମାନସର କି ଅମୃତମୟ ଏ ଉଚ୍ଚାରଣ! ମନ ଲୋଡ଼ୁଥାଏ ଭେଟିବାକୁ ସେଇ ଅବାଧ୍ୟ ସନ୍ତାନମାନଙ୍କୁ, ଯେଉଁମାନେ ଯେନତେନ ପ୍ରକାରେଣ ସ୍ବାର୍ଥର ସଡ଼କରେ ବାଟ ଚାଲିବାକୁ ନିଜ ପୁରୁଷାର୍ଥ ବିଚାରୁଥିବା ବାପାମାନଙ୍କ ହାତ ଛାଡ଼ି ଚାଲିଆସନ୍ତି ଓ ବାଟ ଭାଙ୍ଗି ଭିନ୍ନ ରାସ୍ତାରେ ଚାଲିବାର ସାହସ ରଖନ୍ତି। ଲାଭ-କ୍ଷତିର ହିସାବ ନ ରଖି ସ୍ବାଭିମାନର ଜୀବନଟିଏ ବଞ୍ଚତ୍ବାକୁ ପଣ କରନ୍ତି। ନିଜ ଆଲୋକରେ ଚଉଦିଗକୁ ଆଲୋକିତ କରୁଥିବା ଏଇ ଦୀପ୍ତିମାନ୍‌ମାନଙ୍କ ମଧ୍ୟରୁ ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ।
ପୁରୀର ସମୁଦ୍ରକୂଳ। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଉଠା ଚା’ ଦୋକାନଟିଏ ମେଲିଥାଆନ୍ତି ଜଣେ ମଧ୍ୟବୟସ୍କ ଓଡ଼ିଆ ଲୋକ। ପର୍ବପର୍ବାଣିରେ ପର୍ଯ୍ୟଟକମାନଙ୍କ ଭିଡ଼ ହେଲେ ନବମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ପୁଅ ଆସି ବାପାଙ୍କୁ ବେପାରରେ ସାହାଯ୍ୟ କରେ। ପୁଅର ସହଯୋଗରେ ବାପାଙ୍କ ବେପାର ଆଗକୁ ବଢ଼ୁଥିଲେ ମଧ୍ୟ ପୁଅ ବିରୋଧରେ ତାଙ୍କର ଥିଲା ଏକ ଗୁରୁତର ଅଭିଯୋଗ। ଚା’ ଦୋକାନରେ ଓଡ଼ିଆଙ୍କ ଅପେକ୍ଷା ବଙ୍ଗାଳୀ ଗରାଖଙ୍କ ସଂଖ୍ୟା ଥିଲା ଢେର୍‌ ଅଧିକ। ସେମାନଙ୍କ ସହ ତାଙ୍କ ବଙ୍ଗଳା ଭାଷାରେ ଦୁଇପଦ କଥା ହୋଇ ଚା’ କପଟିଏ ବଢ଼ାଇ ଦେଉଥିଲେ ପାଞ୍ଚଟଙ୍କା ଜାଗାରେ ଦଶଟଙ୍କା ମିଳି ଯାଉଥିଲା। ଓଡ଼ିଶା ମାଟିରେ ଓଡ଼ିଆ ଦୋକାନୀ ମୁହଁରୁ ନିଜ ମାତୃଭାଷାର ସ୍ବାଦ ବଙ୍ଗାଳୀବାବୁମାନଙ୍କ ପାଇଁ ସମ୍ଭବତଃ ଚା’ଠାରୁ ଅଧିକ ମିଠା ଲାଗୁଥିଲା। ସୁତରାଂ, ସେମାନେ ଯେତିକି ଖୁସି ହେଉଥିଲେ, କପେ ଚା’ ପାଇଁ ଦୁଇକପ୍‌ର ଦାମ ମିଳୁଥିବା ଲାଭରେ ଦୋକାନୀଙ୍କ ଖୁସି ଥିଲା ତତୋଽଧିକ। ମାତ୍ର ଉତ୍କଳୀୟତାର ଏକ ଆତ୍ମିକ ଅନୁଭବରେ ପରିପୁଷ୍ଟ ହୋଇଥିବା ନିଜ ସ୍ବାଭିମାନୀ ପୁଅଟି ବଙ୍ଗାଳୀ ଗରାଖଙ୍କ ସହ ତାଙ୍କ ଭାଷାରେ କଥା ହେବାକୁ ସର୍ବଦା ଅସ୍ବୀକାର କରି ଆସୁଥିବାରୁ ବେପାରୀ ବାପାଙ୍କ କଣ୍ଠରେ ଥିଲା ଅଭିଯୋଗର ଉଚ୍ଚାରଣ।
“ଆମ ଓଡ଼ିଆ ଭାଷାଠାରୁ କେତେ ମଧୁର ଏଇ ବଙ୍ଗଳା ଭାଷା! ପଦଟିଏ କଥା ହେଲେ ଯେତେବେଳେ ପାଞ୍ଚଟଙ୍କା ଅଧିକ ମିଳୁଛି, ସେତେବେଳେ ଏ ଭାଷା ଶିଖିବାକୁ ତୁ ଏତେ ବିମୁଖ କାହିଁକି?” ବାପାର ଏଇ ଅଭିଯୋଗ ପ୍ରତି ପୁଅର ଥିଲା ସ୍ପଷ୍ଟ ଓ ସିଧା କୈଫିୟତ- “ମୋ ପ୍ରଦେଶରେ ମୁଁ କାହିଁକି ଅନ୍ୟ ପ୍ରଦେଶର ଭାଷାରେ କଥା ହେବି? ମୁଁ ବଙ୍ଗଳା ଭାଷା ଶିଖିବି ସେତେବେଳେ, ଯେତେବେଳେ ମୋର କଲିକତା ବା ବଙ୍ଗଳାର ଅନ୍ୟ କୌଣସି ସ୍ଥାନକୁ ଯିବା ଆବଶ୍ୟକ ହେବ। ମୁଁ କଲିକତାରେ କୌଣସି ବଙ୍ଗାଳୀଙ୍କ ଦୋକାନରୁ କିଛି କିଣିବାକୁ ଗଲେ ସେମାନେ କ’ଣ ମୋଠୁଁ କିଛି ଅଧିକ ଅର୍ଥ ପାଇବାକୁ ମୋ ସହ ଓଡ଼ିଆ ଭାଷାରେ କଥା ହୋଇପାରିବେ?”
ଅଶିକ୍ଷିତ ଚା’ ଦୋକାନୀର ପୁଅ ଅର୍ଦ୍ଧଶିକ୍ଷିତ ପତଳା ପିଲାଟିଏ। ଅଥଚ ନିଜ ରାଜ୍ୟର ଭାଷା ପ୍ରତି ଅପୂର୍ବ ଅନୁରାଗ ପ୍ରକଟ କରୁଥିବା କି ଉଜ୍ଜ୍ୱଳ ଅଙ୍ଗୀକାର ଭରି ରହିଛି ସେଇ ଅନାମଧ୍ୟେୟ ତରୁଣଟି ପାଖରେ! ବେପାରୀ ବାପାର ବୋଲ ମାନୁ ନ ଥିବା ଏଇ ଅବାଧ୍ୟ ପୁଅଟିକୁ କେଉଁ ନାମରେ ଡକାଯାଇପାରେ? କୁଳାଙ୍ଗାର ନା କୁଳ ଉଜ୍ଜ୍ୱଳ?
ଆଉ ଜଣେ ଅବାଧ୍ୟ ଓଡ଼ିଆ ପୁଅର କଥା। ଭୁବନେଶ୍ୱର ପୁସ୍ତକମେଳାରେ ନିଜ ମା’ବାପାଙ୍କ ସହ ବିଭିନ୍ନ ଷ୍ଟଲ ବୁଲି ବହି ଦେଖୁଥିବା ଏହି ଦଶବର୍ଷ ବୟସର ପିଲାଟି ଦୁଇଟି ଶିଶୁକିଶୋର ପଠନୋପଯୋଗୀ ବହି ବାଛି କିଣିବାକୁ ଚାହିଁବାରୁ ତା’ର ମା’ ତାଗିଦା କରି କହିଲେ, ”ଏଇ ବହି ଦୁଇଟି କିଣି ଅଯଥାରେ କାହିଁକି ଟଙ୍କା ସାରିବା! ତୁ ତ ଇଂଲିଶ୍‌ ସ୍କୁଲର ପିଲା। ୟେ ଓଡ଼ିଆ ଗପବହିରୁ ତୋତେ କ’ଣ ମିଳିବ? ଚାଲ, ଅନ୍ୟ ଷ୍ଟଲ ଯାଇ କିଛି ଇଂଲିଶ୍‌ ରାଇମ ବା କମିକ ବହି କିଣିନେବା।“ ଯେଉଁ ଭାଷାରେ ସେଇ ସମ୍ଭ୍ରାନ୍ତଦର୍ଶନା ମା’ଜଣକ ନିଜ ପୁଅକୁ ଆକଟ କରୁଥିଲେ, ସେଇ ଭାଷାର ବହି ପଢ଼ିବାକୁ ସେ ଯେମିତି ବିରୋଧ କରୁଥିଲେ, ତହିଁରୁ ଜଣାପଡ଼ୁଥିଲା ସତେ ଯେମିତି ନିଜ ଇଂଲିଶ୍‌ପଢ଼ୁଆ ପିଲାଟିକୁ ଓଡ଼ିଆ ବହି ଦୁଇଖଣ୍ଡ କିଣିଦେଲେ ତାଙ୍କ ଆଧୁନିକ ମାତୃତ୍ୱର ମାନ ହ୍ରାସ ପାଇଯିବ! ଉଚ୍ଚ ପଦବୀଧାରୀ ସ୍ବାମୀଙ୍କ ସ୍ତ୍ରୀ ବୋଲାଇବାର ଆଭିଜାତ୍ୟରେ କାଳିଦାଗ ଲାଗିଯିବ! ମାତ୍ର ଧନ୍ୟ କହିବ ତାଙ୍କର ସେଇ ଟିକି ପୁଅଟିକୁ, ନିଜ ମା’ର ଏ ପ୍ରକାର ଅନୁଚିତ ବାରଣକୁ ସେ ସେଇଠି ସର୍ବଜନ ସମ୍ମୁଖରେ ଅବଜ୍ଞା କରି ବସିଲା। କହିଲା, ”ଘରେ, ସ୍କୁଲରେ ସବୁଆଡ଼େ ତ ଖାଲି ଇଂଲିଶ୍‌ ପଢୁଛି। ବର୍ଷକରେ ଥରେ ଗଁାକୁ ଯାଇ ଜେଜେଙ୍କ ପାଖରୁ ଶିଖିଥିବା ଓଡ଼ିଆ ଯେତିକି ଭଲ ଲାଗେ, ତା’ଠାରୁ ଅଧିକ ଭଲ ଲାଗେ ତାଙ୍କଠାରୁ ଶୁଣିଥିବା ଓଡ଼ିଆ ଗପ। ଗତଥର ଗଁାରେ ବହୁ ଗପ ଶୁଣାଇ ଜେଜେ କହିଥିଲେ, ଓଡ଼ିଆ ଗପ ବହି ପଢ଼ି ଆହୁରି କେତେ ନୂଆ କଥା ଜାଣିବା ପାଇଁ। ଯେତେ ଉପରକୁ ପଢ଼ିବି ତ ସେତେ ବେଶୀ ଇଂଲିଶ୍‌ ଜାଣିବି। ଆଉ ଓଡ଼ିଆ ଗପ ପଢ଼ିବି କେତେବେଳେ? ତୁମେ ନ ଦିଅ ପଛେ, ଜେଜେ ମୋତେ ଦେଇଥିବା ଟଙ୍କାରେ ଓଡ଼ିଆ ବହି ନିଶ୍ଚୟ କିଣିବି।“
ମଫସଲି ଜେଜେଙ୍କ ସହରୀ ପୁଅବୋହୂ ଦୁହେଁ ସର୍ବସାଧାରଣ ସ୍ଥାନରେ ନିଜ ଟିକି ପୁଅଟି ପାଖରୁ ଏ ପ୍ରକାର ପରାଭବ ଭୋଗିବା ଏକ ବିଡ଼ମ୍ବନା ନିଶ୍ଚୟ। ମାତ୍ର ଯେଉଁଠି ‘ଡାଡି ମମି’ର ସମ୍ବୋଧନ ମଧ୍ୟରେ ଆହ୍ଲାଦିତ ହେଉଥିବା ଆଧୁନିକ ପିତୃତ୍ୱ ବା ମାତୃତ୍ୱ ନିଜ ମାତୃଭାଷା ପ୍ରତି ନାସିକା କୁଞ୍ଚନ କରେ, ସେଠି ନିଜ ମାତୃଭାଷା ପ୍ରତି ପ୍ରୀତି ପ୍ରକଟ କରୁଥିବା ଗୋଟିଏ ଦଶବର୍ଷ ବାଳକର ପ୍ରତିକ୍ରିୟାକୁ କ’ଣ ନାମ ଦିଆଯାଇପାରେ? ସେମିତି ପୁଅକୁ କ’ଣ କୁହାଯାଇପାରେ? ମା’ବାପାଙ୍କର ବୋଲ ମାନୁ ନ ଥିବା ଅବାଧ୍ୟ ସନ୍ତାନ ନା ମିଥ୍ୟା ଆଧୁନିକତାର ନବ୍ୟ ଆହ୍ବାନ ମଧ୍ୟରେ ତଥାପି ସଂସ୍କାରର ଓଁକାର ଉଚ୍ଚାରଣ କରୁଥିବା ଆସନ୍ତାକାଲିର ଉଜ୍ଜ୍ୱଳ ଆବାହନ? ବିଜ୍ଞଜନେ ବିଚାର କରନ୍ତୁ।

ଅଧ୍ୟାପକ ନିରଞ୍ଜନ ପାଢ଼ୀ
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର
ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫