Categories: ଖେଳ

କବିର ହଂସଙ୍କୁ ଡବଲ ଟାଇଟଲ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟରେ କବିର ହଂସ ଡବଲ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ସିଙ୍ଗଲ୍ସ ଫାଇନାଲରେ ସେ ଆଦିତ୍ୟ ଶତପଥୀଙ୍କୁ ୬-୩, ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି।

ସେହିପରି କବିର ଓ ଶିମନ ଶାସ୍ତ୍ରୀଙ୍କ ଯୋଡ଼ି ଡବଲ୍ସ ଫାଇନାଲରେ ଆଦିତ୍ୟ ଶତପଥୀ ଓ ସତୀର୍ଥ ପଟ୍ଟନାୟକଙ୍କୁ ୬-୦, ୬-୦ ସେଟ୍‌ରେ ହରାଇ ଦେଇଛନ୍ତି। ପ୍ରଥମଥରପାଇଁ ସାମିଲ ହୋଇଥିବା ୧୨ ବର୍ଷରୁ କମ୍‌ ବାଳକ ବିଭାଗ ଫାଇନାଲରେ ସୂର୍ଯ୍ୟପ୍ରତାପ ନାଏକ ୬-୦, ୬-୧ ସେଟ୍‌ରେ ସୂର୍ଯ୍ୟ ଦାସଙ୍କୁ ହରାଇ ଟାଇଟଲ ଜିତିଛନ୍ତି। ସେହିପରି ୧୪ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଫାଇନାଲରେ ସାଇ ସ୍ବସ୍ତିକ ମହାନ୍ତି ୬-୩, ୫-୭ (୧୦/୨) ସେଟ୍‌ରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟଙ୍କୁ ପରାସ୍ତ କରିଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଫାଇନାଲରେ ଆହାନ ୬-୨, ୬-୧ ସେଟ୍‌ରେ କ୍ରିଷ୍ଣା ରାଜଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୨୫୦ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସିନିୟର ଆଇଏଫ୍‌ଏସ୍‌ ଅଫିସର ଦେବୀଦତ୍ତ ବିଶ୍ୱାଳ, ଉତ୍କଳ ବିଲ୍ଡର୍ସର ପ୍ରତିଷ୍ଠାତା ଭନଓ୍ବାରଲାଲ ବୈଦ ପ୍ରମୁଖ ଉପସ୍ଥିତ ଥିଲେ।

Share