ମଞ୍ଚେଶ୍ୱରରୁ ନକଲି ଇଞ୍ଜିନ ଅଏଲ କାରଖାନା ଠାବ

ଭୁବନେଶ୍ୱର,୩୦ା୯ (ବ୍ୟୁରୋ):ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇଗାଡିଆ ଅଞ୍ଚଳରେ ଚାଲିଥିଲା ନକଲି ଇଞ୍ଜିନ ଅଏଲ କାରଖାନା। ମଙ୍ଗଳବାର କମିଶନରେଟ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସେଠାରେ ଚଢାଉ କରି ୨୦ହଜାର ଲିଟରରୁ ଊର୍ଦ୍ଧ୍ୱ ଅପମିଶ୍ରିତ ଇଞ୍ଜିନ ଅଏଲ ଜବତ କରିବା ସହ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାରଖାନା ପରିଚାଳକ ଏହି ଥାନାଞ୍ଚଳର ବାବାଜି ସାହୁ ଏବଂ ଦୁଇ ଶ୍ରମିକ ଚକ୍ରଧର ସାହୁ ଓ ଜଗା ତଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ଖୋଳତାଡ଼ ଚାଲିଛି। ତେବେ ମାଲିକ ଫେରାର ଥିବାରୁ ତାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ତଦନ୍ତକାରୀ ଅଧିକାରୀ ଷ୍ଟାର୍ଲିନ ବିଶ୍ୱାଳ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ମୁତାବକ, ଅଭିଯୁକ୍ତମାନେ ସମେଇଗାଡିଆ ଅଞ୍ଚଳରେ ଏକ ଘର ଭଡ଼ା ନେଇ ନକଲି ଇଞ୍ଜିନ ଅଏଲ୍‌ କାରଖାନା ଚଳାଇଥିଲେ। ସେଥିରେ ୫ରୁ ୧୦ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ଉତ୍ପାଦିତ ଅଏଲକୁ ବ୍ରାଣ୍ଡେଡ୍‌ କମ୍ପାନୀ ନାଁରେ ପ୍ୟାକ୍‌ କରି ବଜାରକୁ ଛାଡୁଥିଲେ। ଅଭିଯୁକ୍ତମାନେ ନିଜେ ଡାଲା ଅଟୋ କିଣି ସେଥିରେ ଭୁବନେଶ୍ୱର ସମେତ ଉପକଣ୍ଠ ଓ ଆଖପାଖ ଜିଲାକୁ କମ୍‌ ମୂଲ୍ୟରେ ପଠାଉଥିଲେ। ଏପରି କି ସେମାନେ ଆୟକର ଫାଙ୍କିଥିବା ନେଇ ମଧ୍ୟ ଜଣାପଡିଛି। ତେବେ ଏ ସମ୍ପର୍କରେ କମିଶନରେଟ ପୋଲିସର କ୍ୟୁଏଟି ନିକଟରେ ଖବର ପହଞ୍ଚତ୍ବା ପରେ ଚଢ଼ାଉ ଯୋଜନା ହୋଇଥିଲା। ମଞ୍ଚେଶ୍ୱର ପୋଲିସ ଓ କ୍ୟୁଏଟି ମଙ୍ଗଳବାର ରାତିରେ ଚଢାଉ କରି ଉକ୍ତ କାରଖାନାକୁ ଠାବ କରିଥିଲେ। ଏହି ଚୋରା କାରବାରର ଚେର ଅନ୍ୟ କେଉଁ ଅଞ୍ଚଳକୁ ଲମ୍ବିଛି ଓ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଅଭିଯୁକ୍ତଙ୍କଠାରୁ ଜାଣିବାକୁ ପୋଲିସ ଚେଷ୍ଟା ଚଳାଇଛି।

Share