ଥାନା ସମ୍ମୁଖରେ ଚାଲିଥିଲା ନକଲି ମଦ କାରଖାନା

ରୂପ୍‌ସା/ବସ୍ତା,୧୬।୭: ବାଲେଶ୍ୱର ଜିଲା ଓ ବସ୍ତା ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଶୁକ୍ରବାର ସିଂଲା ଥାନା ସମ୍ମୁଖ ବଜାରରୁ ଏକ ନକଲି ବିଦେଶୀ ମଦ କାରଖାନା ଠାବ କରାଯାଇଛି। ମଦ ବ୍ୟବସାୟୀ ତାରାଶଙ୍କର ଜେନାଙ୍କୁ ଗିରଫ କରାଯାଇଛି। ଏହି କାରଖାନାରେ ପ୍ରସ୍ତୁତ ହୋଇ ରହିଥିବା ବିଭିନ୍ନ ବ୍ରାଣ୍ଡର ୧୧୫ ନକଲି ବିଦେଶୀ ମଦ, ୪୦ଲିଟର ସ୍ପିରିଟ୍‌, ୫ଶହ ଲେବୁଲ, ୪୫୦ ଖାଲି ବୋତଲ ଓ ୧୦୦ ଠିପି ଜବତ ହୋଇଛି। ଏନେଇ ବିଭାଗ ପକ୍ଷରୁ ଏକ ମାମଲା (ନଂ. ୨୨/୨୧) ରୁଜୁ ହୋଇଛି।
ଥାନା ସମ୍ମୁଖରେ ଦୀର୍ଘଦିନ ଧରି ଅବାଧରେ ଏହି ମଦ କାରଖାନା ଚାଲୁଥିବା ଅଭିଯୋଗ ହୋଇଆସୁଥିଲା। ଅବକାରୀ ଅଧୀକ୍ଷକ ସେକ୍‌ ଆସଫ ଅଲୀଙ୍କ ନିର୍ଦ୍ଦେଶ କ୍ରମେ ମୋବାଇଲ ସ୍କ୍ବାଡ ଆଇଆଇସି ଗାଲୁରାମ ସୋରେନ, ସଦର ଇନ୍ସପେକ୍ଟର ପ୍ରବୀଣ କୁମାର ପ୍ରଧାନ, ସବ୍‌ଇନ୍ସପେକ୍ଟର କୁଳମଣି ମହାରଣା, ବସ୍ତା ଅବକାରୀ ଥାନା ଓଆଇସି ଲକ୍ଷେ ସାଧବ ପ୍ରଧାନ ପ୍ରମୁଖ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଅଧିକାରୀମାନେ ସିଂଲା ଥାନା ବରହମପୁର ଗ୍ରାମର ମଦ ବେପାରୀ ସୁଶାନ୍ତ ରାମ, ବସ୍ତା ଥାନା ସାନଖୁଡ଼ି ଗ୍ରାମର ନିମାଇଁ ମାରାଣ୍ଡି ଓ ଗଙ୍ଗାଧର ଗ୍ରାମର ଭଗବାନ ଟୁଡୁଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share