ଭଙ୍ଗାଘରେ ୭ ପ୍ରାଣୀ କୁଟୁମ୍ବ

ସମ୍ବଲପୁର,୨୧ା୮(ବି.ଶଙ୍କର): ଲଗାତର ବର୍ଷା ଯୋଗୁ ସମ୍ବଲପୁର ମହନଗର ନିଗମ ଅନ୍ତର୍ଗତ ବଡବଜାର ସାହେବ ବଙ୍ଗଲାର ଏକ ଘର ଶନିବାର ପୂର୍ବାହ୍ନ ୯ ଟା ସମୟରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଉକ୍ତ ଘରେ ଫକୀର ମୋହନ ମିଶ୍ର, ପୁଅ, ସ୍ତ୍ରୀ, ବିଧବା ଝିଅ ଉମା ରଥ ଏବଂ ଝିଅର ତିନି ଛୋଟ ପିଲା ରହୁଥିଲେ। ଖବରପାଇ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀଶକ୍ତିର ସଦସ୍ୟାମାନେ ବିପନ୍ନ ପରିବାରବର୍ଗଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଥିଲେ। ତତ୍କାଳ ପରିବାର ପୋଷଣ ପାଇଁ ରାଶନ ସାମଗ୍ରୀ ଓ ଆର୍ଥିକ ସହାୟତା ଦେଇଥିଲେ। ମହିଳା ସଂଗଠନ ପକ୍ଷରୁ ଫକୀରଙ୍କ ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସମ୍ବଲପୁର ମହାନଗର ନିଗମକୁ ଅନୁରୋଧ କରାଯିବା ନେଇ ଆଲୋଚନା କରାଯାଇଛି। ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀଶକ୍ତିର ପଙ୍କଜିନୀ ମେହେର, କାନ୍ତି ମେହେର, ଝୁନୁ ତ୍ରିପାଠୀ, ସ୍ବସ୍ତିକା ନାୟକ, ପଙ୍କଜିନୀ ବୈଠାରୁ ଏବଂ ସାହେବ ବଙ୍ଗଳା ମହିଳା ସଂଗଠନ ସଭାପତି ରେବତୀ ପଟେଲ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ପୂର୍ବରୁ ଫକିର ମୋହନଙ୍କ ଦୁର୍ଘଟଣା ହୋଇଥିଲା। ତେଣୁ ସେ ଦୀର୍ଘଦିନ ଧରି ଘରେ ବିଶ୍ରାମ ନେଇଥିଲେ। ଏହାପରେ ତାଙ୍କର ବେସରକାରୀ ଚାକିରି ଚାଲି ଯାଇଥିଲା। ପରେ ୭ପ୍ରାଣୀଙ୍କୁ ନେଇ ଅଭାବ ଅନଟନ ଭିତରେ ପରିବାର ଚଲୁଥିଲେ। ଝିଅକୁ ବାହା ଦେଇଥିଲେ। ମାତ୍ର କରୋନା ସମୟରେ ଜ୍ୱାଇଁଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଝିଅ ଏବଂ ତାଙ୍କର ତିନି ଛୁଆ ତାଙ୍କ ଉପରେ ନିର୍ଭରଶୀଳ। ଏବେ ତାଙ୍କ ପାଖରେ କୌଣସି କାମ ନ ଥିବା ବେଳେ ପରିବାର ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ୪୦ ବର୍ଷ ପୂର୍ବରୁ ମାଟିରେ ତିଆରି ଘର ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲା। ଘର ଛାତ ପଡିଯିବାରୁ ଦରକାରୀ କାଗଜପତ୍ର, ଭତ୍ତା କାର୍ଡ, ଛୁଆଙ୍କର ଜନ୍ମ ପ୍ରମାଣପତ୍ର, ଟିକାକରଣ କାର୍ଡ ମାଟି ତଳେ ଦବିଯାଇଛି।

Share