ପିପିଲି,୯।୯(ଡି.ଏନ୍.ଏ.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ବ୍ରାହ୍ମଣଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡିଥିଲେ। ସେଥିମଧ୍ୟରୁ ଗୁରୁବାର ଗୋଟେ ପରିବାର ଗ୍ରାମକୁ ଫେରି ଆସିଛନ୍ତି। ନାଲି ପିମ୍ପୁଡ଼ିଙ୍କ ଆତଙ୍କ ଟିକେ କମିଥିବାବେଳେ ଲୋକଙ୍କ ମନରୁ ଭୟ ଦୂର ହୋଇନାହିଁ। ଗତ ୫ ତାରିଖରେ ପିପିଲି ବିଡିଓ ରଶ୍ମିତା ନାଥଙ୍କ ନେତୃତ୍ୱରେ ୨ଟି ଟିମ୍ ଗ୍ରାମକୁ ଯାଇ ନାଲି ପିମ୍ପୁଡ଼ିକୁ ଘଉଡାଇବାକୁ ଗ୍ରାମର ରାସ୍ତା ଏବଂ ଲୋକଙ୍କ ଘର ସମ୍ମୁଖରେ ଔଷଧ ସିଞ୍ଚନ କରିଥିଲେ। ଏହାପରେ ପିମ୍ପୁଡ଼ିଙ୍କ ଆତଙ୍କ କିଛି ମାତ୍ରାରେ କମିଥିବା ଜଣାପଡିଛି। ଔଷଧ ସିଞ୍ଚନ ପରଦିନ ବର୍ଷା ଫଳରେ ଔଷଧ ଧୋଇ ହୋଇଯାଇଥିବାରୁ ଗ୍ରାମରେ ଆଉଥରେ ଔଷଧ ସିଞ୍ଚନ ପାଇଁ ୱାର୍ଡ ସଭ୍ୟ ରାଜ ପ୍ରସାଦ ଦାଶ ପ୍ରଶାସନ ପାଖରେ ଦାବି କରିଛନ୍ତି।