ଚାଷୀ ଝିଅ ଶୁଚିସ୍ମିତା ଓଡ଼ିଶା ମହିଳା କ୍ରିକେଟର ଉଜ୍ଜ୍ୱଳ ତାରକା

ରସୁଲପୁର,୨୩ା୧୨(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ବଡ଼କଇଞ୍ଚତ୍ ପଞ୍ଚାୟତ ଗରୁଆଳ ଗ୍ରାମର ଚାଷୀ ଚନ୍ଦ୍ରମଣୀ ପଣ୍ଡାଙ୍କ ଝିଅ ଶୁଚିସ୍ମିତା ପଣ୍ଡା ୧୯ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ପକ୍ଷରୁ ଆୟୋଜିତ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ମନୋନୀତ ଓଡ଼ିଶା ଦଳରେ ଅଲରାଉଣ୍ଡ ଭାବରେ ସେ ସ୍ଥାନ ପାଇଥିଲେ। ରାଜସ୍ଥାନ ଜୟପୁରଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ଭାଗ ନେଇଥିଲା। ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ସୁଚିସ୍ମିତାଙ୍କ ଅଲରାଉଣ୍ଡର ସଫଳତା ପାଇଁ ଦଳ ଆଗକୁ ବଢିଥିଲା। ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଓଡ଼ିଶା ଦଳ ବେଙ୍ଗଲଠାରୁ ଉନ୍ନତ ପ୍ରଦର୍ଶନ କରିଥିଲା। ମାତ୍ର ରନ୍‌ ରେଟ ହାରରେ ବେଙ୍ଗଲ ଦଳ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଓଡ଼ିଶା ବାଦ ପଡ଼ିଥିଲା। ସେହିପରି ମଧ୍ୟପ୍ରଦେଶର ହୋଲ୍‌କର ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ଓ ସିକିମ୍‌ ମ୍ୟାଚରେ ସୁଚିସ୍ମିତା ବ୍ୟକ୍ତିଗତ ଅପରାଜିତ ୫୦ରନ ଓ ବୋଲିଂରେ ୫ ଉଇକେଟ ଅକ୍ତିଆର କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଓମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପାଇଥିଲେ। ଜଣେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ହେବା ଲାଗି ସେ ଲକ୍ଷ୍ୟ ରଖିଛନ୍ତି। ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ କେ.ଏଲ. ରାହୁଲଙ୍କ ଖେଳ ଶୈଳିକୁ ସେ ଅନୁସରଣ କରୁଛନ୍ତି। ତାଙ୍କ ଭଳି ଓଡ଼ିଶା ଦଳରୁ ଓପନିଂ କରିବା ଲାଗି ସେ ଆଶାପୋଷଣ କରିଛନ୍ତି।
ସୁଚିସ୍ମିତା ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ। ଯୁକ୍ତ ୨ ପାଠପଢା ସମୟରୁ ତାଙ୍କର କ୍ରିକେଟ ପ୍ରତି ଅଦ୍ୟମ ଇଚ୍ଛାରୁ ଯାଜପୁର ଟାଉନସ୍ଥିତ ଏନ୍‌ସି କଲେଜ ପଡ଼ିଆରେ ଖେଳ ଅଭ୍ୟାସ କରିବାକୁ ଆସୁଥିଲେ। ତାଙ୍କର ଖେଳ ଶୈଳୀ ଓ ପ୍ରତିଭା କୋଚ ଜ୍ଞାନଚାନ୍ଦ ଦାସ ଦୃଷ୍ଟି ଆକର୍ଷଣ କରିଥିଲା। ସୁଚିସ୍ମିତା ଜଣେ ଭଲ ଖେଳାଳି ହୋଇପାରିବେ ଜାଣି ତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ପ୍ରଶିକ୍ଷଣ ଦେଇଥିଲେ।