କଣ୍ଟେନ୍‌ମେଣ୍ଟ ଜୋନ୍‌ର ନିର୍ଭୀକ ସେବାକାରୀ

ବଲାଙ୍ଗୀର ଅଫିସ, ୧୯ା୭:  ବଲାଙ୍ଗୀର ଜିଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ସମୟରେ ଜିଲାର କରୋନା ଯୋଦ୍ଧା ସେମାନଙ୍କର ନିରବଚ୍ଛିନ୍ନ ଓ ସ୍ବେଚ୍ଛାକୃତ ସେବା ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଲାଙ୍ଗୀର ସହରର ହାତୀଶାଳପଡା ଓ ଠିକାଦାରପଡାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଉଭୟପଡାକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଥିଲା। ଏହି କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଗତ ଜୁଲାଇ ୩ ତାରିଖରୁ ନିୟମିତ ଭାବେ କୋଭିଡ୍‌ ଯୋଦ୍ଧାମାନେ ସେବା ଯୋଗାଉଛନ୍ତି। ଏହି କରୋନା ଯୋଦ୍ଧାଙ୍କ ଭିତରେ ରହିଛନ୍ତି ମ୍ୟୁନିସିପାଲିଟି, ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ ବିଭାଗର ସମର୍ପିତ କର୍ମଚାରୀ। ସେମାନେ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ନିର୍ଭୀକ ଭାବେ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଏଠାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ପରେ ସହର ବ୍ୟାପୀ ଚିନ୍ତା ପ୍ରକଟ ପାଇଥିଲା। ୬୫ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ପରେ କିଭଳି ଭାବେ ସଂକ୍ରମଣ ରୋକିଯିବ ସେନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଭଳି ସମୟରେ କୋଭିଡ ଯୋଦ୍ଧା ସ୍ବାସ୍ଥ୍ୟ ଟିମ୍‌ ଆଗେଇ ଆସିଥିଲେ ା ସେମାନେ ଘରକୁ ଘର ସର୍ଭେ କରିବା ସହ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଯାଏ ଲାଗିପଡିଥିଲେ ା ସ୍ବାସ୍ଥ୍ୟ ସୁପରଭାଇଜର ଦେବେଶ ରାଉତ, ସ୍ବାସ୍ଥ୍ୟକର୍ମୀ ସନ୍ତୋଷ ମହାଣା, ସସ୍ମିତା ଶତପଥୀ, ସଂଯୁକ୍ତା ମିଶ୍ରଙ୍କ ସହ ଅନ୍ୟ ୧୬ ଜଣ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଏଏନ୍‌ଏମ୍‌ ଦିନରାତି ଏଠାରେ ନିଜର କାର୍ଯ୍ୟ କରିଚାଲିଛନ୍ତି। କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଲୋକେ ଯିବାକୁ ଭୟଭୀତ ହେଉଥିବାବେଳେ ଏହି କରୋନା ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏହି ସ୍ବାସ୍ଥ୍ୟ ଟିମ୍‌କୁ ଉପରିସ୍ଥ ଅଧିକାରୀ ସିଡିଏମ୍‌ଓ ଡା. ଭୀମ ସାହୁ, ଡିପିଏଚ୍‌ଓ ଡା. ଦିବ୍ୟ କିଶୋର ପତି ଓ ଜିଲା ପ୍ରଶାସନର ଜିଲାପାଳ ଅରିନ୍ଦମ ଡାକୁଆ, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର ନିରୀକ୍ଷଣ କରୁଛନ୍ତି। ଏହି କରୋନା ଯୋଦ୍ଧାଙ୍କ ପରିବାର ଅଛି। ଅନେକ ସମୟରେ ଭୟ ଲାଗୁଥିଲେ ମଧ୍ୟ କର୍ତ୍ତବ୍ୟ ଓ ସେବା ଆଗରେ ସବୁକିଛି ତୁଚ୍ଛ ବୋଲି ଏହି କୋଭିଡ ଯୋଦ୍ଧାମାନେ କହିଛନ୍ତି।