Categories: ଜାତୀୟ

ଝିଅପୁଅଙ୍କୁ ନୋମିନି କରିପାରିବେ ମହିଳା କର୍ମଚାରୀ

ନୂଆଦିଲ୍ଲୀ,୩୦।୧(ପି.ଟି.): ପରିବାର ପେନ୍‌ସନ ପାଇଁ ଜଣେ ମହିଳା କର୍ମଚାରୀ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଝିଅ କିମ୍ବା ପୁଅଙ୍କୁ ନୋମିନି କରିପାରିବେ। କେନ୍ଦ୍ର ସରକାର ଏନେଇ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି, ଯାହାର ସୁଦୂରପ୍ରସାରୀ ସାମାଜିକ-ଅର୍ଥନୈତିକ ପ୍ରଭାବ ରହିବ ବୋଲି ସୋମବାର ପ୍ରକାଶିତ ସରକାରୀ ବିବୃତିରେ କୁହାଯାଇଛି। ପୂର୍ବରୁ ପରିବାର ପେନସନ ମୃତ ସରକାରୀ କର୍ମଚାରୀ ବା ପେନ୍‌ସନଭୋଗୀଙ୍କ ଜୀବନସାଥୀଙ୍କୁ ମିଳୁଥିଲା। ଜୀବନସାଥୀଙ୍କ ମୃତ୍ୟୁ ହେବା ପରେ ଯାଇ ପରିବାରର ଅନ୍ୟ ସଦସ୍ୟ ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେଉଥିଲେ। କେନ୍ଦ୍ର ସରକାରଙ୍କ ପେନ୍‌ସନ ଓ ପେନ୍‌ସନଭୋଗୀ କଲ୍ୟାଣ ବିଭାଗ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍‌ (ପେନ୍‌ସନ) ନିୟମାବଳୀ, ୨୦୨୧ରେ ସଂଶୋଧନ ଆଣିଛନ୍ତି। ଏହି ସଂଶୋଧନ ବଳରେ ମହିଳା ସରକାରୀ କର୍ମଚାରୀ ବା ପେନ୍‌ସନଧାରୀଙ୍କ ମୃତ୍ୟୁ ହେଲେ, ସ୍ବାମୀଙ୍କ ସ୍ଥାନରେ ଯୋଗ୍ୟ ପୁଅ କିମ୍ବା ଝିଅ ପରିବାର ପେନ୍‌ସନ ପାଇପାରିବେ। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି। ଛାଡ଼ପତ୍ର ମାମଲାକୁ ନେଇ ବୈବାହିକ ଜୀବନରେ ବିବାଦ ରହିଥିଲେ କିମ୍ବା ଘରୋଇ ହିଂସା ଆଇନରୁ ମହିଳାଙ୍କୁ ସୁରକ୍ଷା, ଯୌତୁକ ନିରୋଧୀ ଆଇନ କିମ୍ବା ଆଇପିସି ନେଇ ମାମଲା ଚାଲିଥିଲେ, ମହିଳା କର୍ମଚାରୀଙ୍କ ପିଲାମାନେ ଉପକୃତ ହୋଇପାରିବେ। ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଦୀର୍ଘଦିନର ନିୟମାବଳୀରେ ସଂଶୋଧନ କରାଯାଇ ମହିଳା କର୍ମଚାରୀଙ୍କୁ ପରିବାର ପେନ୍‌ସନ ପାଇଁ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ପୁଅ କିମ୍ବା ଝିଅଙ୍କୁ ପ୍ରତିନିଧିତ୍ୱ କରାଇବାର ଅଧିକାର ପ୍ରଦାନ କରାଯାଇଛି। ମହିଳା କର୍ମଚାରୀ ବା ପେନ୍‌ସନଭୋଗୀଙ୍କର ଯଦି ମୃତ୍ୟୁ ହୁଏ, ତେବେ ଫାମିଲ ପେନ୍‌ସନ ତାଙ୍କ ସ୍ବାମୀଙ୍କ ପରିବର୍ତ୍ତେ ଯୋଗ୍ୟ ପୁଅ କିମ୍ବା ଝିଅକୁ ଦିଆଯାଉ ବୋଲି ସେ ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟଙ୍କୁ ଲିଖିତ ଭାବେ ନିବେଦନ କରିବାକୁ ପଡ଼ିବ।

Share