ନୂଆଦିଲ୍ଲୀ, ୩।୧: ଝିଅମାନଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ବିଲ୍ ଯାଞ୍ଚ ପାଇଁ ପଠାଯାଇଥିବା ସଂସଦୀୟ କମିଟିରେ ତୃଣମୂଳ କଂଗ୍ରେସ ଏମ୍ପି ସୁସ୍ମିତା ଦେବ ଏକମାତ୍ର ମହିଳା ସଦସ୍ୟ ରହିଛନ୍ତି। ପାର୍ଲାମେଣ୍ଟର ଶୀତ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବାଲ୍ୟ ବିବାହ ନିରାକରଣ (ସଂଶୋଧନ) ବିଲ୍ ଲୋକ ସଭାରେ ଆଗତ କରିଥିଲେ। ଉକ୍ତ ବିଲ୍କୁ ଯାଞ୍ଚ କରିବା ଲାଗି ୩୧ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟିକୁ ପଠାଯାଇଥିଲା। ତେବେ ଝିଅଙ୍କ ବିବାହ ବୟସ ଅନୁଧ୍ୟାନ କରିବା ଲାଗି ବରିଷ୍ଠ ଭାଜପା ନେତା ବିନୟ ସହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଗଠିତ କମିଟିରେ ମାତ୍ର ଜଣେ ମହିଳାଙ୍କୁ ରଖାଯାଇଥିବା ରାଜ୍ୟ ସଭା ଓ୍ବେବସାଇଟ୍ରୁ ଜଣାପଡ଼ିଛି। କମିଟିର ଅଧ୍ୟକ୍ଷ ଚାହିଁଲେ ଅନ୍ୟ ମହିଳା ସଦସ୍ୟଙ୍କୁ ଏଥିରେ ସାମିଲ କରିପାରିବେ ବୋଲି ଏନ୍ସିପି ଏମ୍ପି ସୁପ୍ରିୟା ସୁଲେ କହିଛନ୍ତି। ବିଲ୍କୁ ଅନେକ ସାଂସଦ ବିରୋଧ କରୁଥିବାରୁ ଏହା ବିବାଦୀୟ ହୋଇଛି।