କୋଲକାତା, ୧୦।୨: ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ଥିବା ମହିଳା କଏଦୀମାନେ ଗର୍ଭବତୀ ହେଉଛନ୍ତି। ଏନେଇ କୋଲକାତା ହାଇକୋର୍ଟଙ୍କ ସାମନାରେ ଆମିକସ୍କ୍ୟୁରି ତାପସ ଭାନ୍ଜା ଏକ ଚାଞ୍ଚଲ୍ୟକର ରିପୋର୍ଟ ରଖିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ପଶ୍ଚିମବଙ୍ଗର ବିଭିନ୍ନ ଜେଲରେ ବନ୍ଦୀ ଥିବା ମହିଳା କଏଦୀ ୧୯୬ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ଟି. ଏସ. ଶିବଗଣନମ୍ଙ୍କ ଦ୍ୱାରା ଗଠିତ ଡିଭିଜନ ବେଞ୍ଚ ସମ୍ମୁଖରେ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି ଆମିକସ୍ କ୍ୟୁରି। ଜେଲ ମଧ୍ୟରେ ମହିଳା କଏଦୀ ରହୁଥିବା କୋଠରୀ ମଧ୍ୟକୁ ପୁରୁଷ କର୍ମଚାରୀଙ୍କୁ ବାରଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଜେଲ ମଧ୍ୟକୁ ଯିବା ପୂର୍ବରୁ ମହିଳା କଏଦୀମାନଙ୍କ ଗର୍ଭ ପରୀକ୍ଷା ଜଣେ ଜୁଡିିସିଆଲ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ୨୦୧୮ରେ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଆମିକସ୍କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ତାପସ ରାଜ୍ୟରେ ରହିଥିବା ବିଭନ୍ନ ମହିଳା ସୁଧାର ଗୃହରେ ଦରକାରଠାରୁ ବେଶି ମହିଳା ରହୁଥିବା ଉଲ୍ଲେଖ କରିଛନ୍ତି। ତେବେ ଆମିକସ୍ କ୍ୟୁରିଙ୍କର ରିପୋର୍ଟକୁ ଗୁରୁତର ଭାବେ ନେଇ ଏହି ମାମଲାକୁ ଆପରାଧିକ ଖଣ୍ଡପୀଠକୁ ସ୍ଥାନାନ୍ତର କରିବା ପାଇଁ କୋଲକାତା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ। ତେବେ ଜେଲଗୁଡ଼ିକୁ ଠିକ୍ ଭାବେ ଯାଞ୍ଚ କରିବା ସହ ସେଠାକାର ସ୍ଥିତି ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଆମିକସ୍ କ୍ୟୁରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ଉଚ୍ଚ ନ୍ୟାୟାଳୟ।