Categories: ଖେଳ

ପଦାର୍ପଣ କଲେ ମହିଳା ଅମ୍ପାୟର

ନୂଆଦିଲ୍ଳୀ,୧୧ା୧ (ପି.ଟି.): ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ଅମ୍ପାୟର ଭୂମିକାରେ ମ୍ୟାଚ ପରିଚାଳନା କରିଥିଲେ ୩ ଜଣ ମହିଳା। ଜଣେ ପୂର୍ବତନ ସ୍କୋରର, ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଓ ଜଣେ ପୂର୍ବତନ ଖେଳାଳି ମଙ୍ଗଳବାର ରଚିଛନ୍ତି ଇତିହାସ। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ମହିଳା ଅମ୍ପାୟର ମ୍ୟାଚ ପରିଚାଳନା କରିଥିବାର ଅନେକ ନଜିର ରହିଛି। ଏପରିକି ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ କେବଳ ମହିଳା ଅମ୍ପାୟର ହିଁ ମ୍ୟାଚ୍‌ ପରିଚାଳନା କରିଥିଲେ। ତେବେ ଭାରତର ଘରୋଇ କ୍ରିକେଟ ରଣଜୀ ଟ୍ରଫିରେ ମହିଳାମାନେ ଅମ୍ପାୟରିଂ କରି ନ ଥିଲେ। ଏହି ଧାରାରେ ପରିବର୍ତ୍ତନ ସହିତ ପ୍ରଥମ ଥର ପାଇଁ ୩ ଜଣ ମହିଳା ପୁରୁଷଙ୍କ କ୍ରିକେଟ ମ୍ୟାଚରେ ଅମ୍ପାୟରିଂ କରିଛନ୍ତି। ମଙ୍ଗଳବାର ବ୍ରିନ୍ଦା ରାଠୀ, ଜନନୀ ନାରାୟଣନ ଓ ଗାୟତ୍ରୀ ଭେନୁଗୋପାଳନଙ୍କୁ ରଣଜୀ ଟ୍ରଫିର ଦ୍ୱିତୀୟ ରାଉଣ୍ଡରେ ଅମ୍ପାୟରିଂ କରିବାର ଦେଖିବାକୁ ମିଳିଥିଲା। ଭେନୁଗୋପାଳନ ଝାଡଖଣ୍ଡ ଓ ଛତିଶଗଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଅମ୍ପାୟର ରହିଥିଲେ। ଅନ୍ୟପକ୍ଷରେ ନାରାୟଣନଙ୍କୁ ରେଳବାଇ ବନାମ ତ୍ରିପୁରା ଓ ରାଠୀଙ୍କୁ ଗୋଆ ବନାମ ପୁଡୁଚେରୀ ମ୍ୟାଚରେ ଅମ୍ପାୟର ଭାବରେ ଦେଖିବାକୁ ମିଳିଥିଲା। ୩୬ ବର୍ଷୀୟା ନାରାୟଣନ ତାମିଲନାଡୁର ବାସିନ୍ଦା। ତାମିଲନାଡୁ କ୍ରିକେଟ ଆସୋସିଏଶନରେ ପ୍ରଥମେ ଅମ୍ପାୟରିଂ ସୁଯୋଗ ମିଳି ନ ଥିଲେ ହେଁ ବିସିସିଆଇର ନିୟମ ପରିବର୍ତ୍ତନ ପରେ ତାଙ୍କୁ ସୁଯୋଗ ମିଳିଥିଲା। ୨୦୧୮ରେ ବିସିସିଆଇ ଲେଭଲ-୨ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୨୧ରେ ସେ ତାମିଲନାଡୁ ପ୍ରିମିୟର ଲିଗ୍‌ ପରିଚାଳନା କରିଥିଲେ। ୩୨ ବର୍ଷୀୟା ବ୍ରିନ୍ଦା ରାଠୀ ମୁମ୍ବାଇର ମଇଦାନରେ ସ୍କୋରର ଭାବରେ କାମ କରନ୍ତି। ଏପରିକି ସେ ୨୦୧୩ ମହିଳା ବିଶ୍ୱକପରେ ବିସିସିଆଇର ସ୍କୋରର ଭାବରେ କାମ କରିଥିଲେ।

Share