
ଭୁବନେଶ୍ୱର,୫।୪: ପ୍ରବଳ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି । କାଳବେଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ବସ୍ତି । ତେବେ ଆଜି ମଧ୍ୟ କାଳବେଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେଉଁ କେଉଁ ଜିଲାରେ ଆଜି ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ।
ଆସନ୍ତା ୧୦ ତାରିଖ ଯାଏ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶନିବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ଘଡଘଡି ହୋଇପାରେ । ୩୦ରୁ ୪୦କିମି ବେଗରେ ପବନ ବି ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ବର୍ଷା ଓ ଘଡଘଡି ଆଶଙ୍କା ଅଛି । ଏହି ସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରବିବାର ଗଞ୍ଜାମ, ଗଜପତି ଓ ରାୟଗଡାରେ ବର୍ଷା ସହିତ ଘଡଘଡି ହୋଇପାରେ । ୭, ୮, ୯ ଓ ୧୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି ।