ପିଡିଏସ୍‌ ଚାଉଳ ଆଣିବା ବେଳେ ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ ମାଡ଼ପିଟ୍‌

କର୍ଲାମୁଣ୍ଡା,୮ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମର ହିତାଧିକାରୀମାନେ ରବିବାର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ୍‌ ଚାଉଳ ଆଣିବାକୁ ଯାଇଥିଲେ। ଏହି ସମୟରେ ଜୋରାଡବରା ଗ୍ରାମର କିଛି ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ କରି କୁଶୁର୍ଲା ଗ୍ରାମବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀବାହୀ ବସ୍‌, ଟ୍ରକ୍‌,ଚାରି ଚକିଆ ଯାନଗୁଡ଼ିକ ଅଟକି ରହିଥିବା ଦେଖିବାକୁ ମିଳିଛି। ତେବେ ଘଟଣାସ୍ଥଳରେ ଜିଲାପରିଷଦ ସଭ୍ୟ ସୁରେଶ ଚୌଧୁରୀ, ମ.ରାମପୁର ପୋଲିସ ପହଞ୍ଚି ଧାରଣାକାରୀମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମାଧାନ ହେଇପାରିନାହିଁ।