ଜୁଲାଇରେ ୪,୧୫୬ ଜଣଙ୍କଠାରୁ ୨୦.୯୯ ଲକ୍ଷ ଟଙ୍କା ଜରିମାନା ଆଦାୟ

ଭୁବନେଶ୍ୱର,୩।୮(ସତ୍ୟଜିତ୍‌ ରାଉତ)କମିଶନରେଟ ପୋଲିସ ଦ୍ୱାରା ଭୁବନେଶ୍ୱରରେ ଜାରି ରହିଥିବା ‘ସେଫ୍‌ ସିଟି ଡ୍ରାଇଭ୍‌’ ଅଭିଯାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସର୍ବସାଧାରଣରେ ମଦ୍ୟପାନ କରି ‘ଓଡ଼ିଶା ଅର୍ବାନ ପୋଲିସ୍‌ ଆକ୍ଟ’ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଗତ ଜୁଲାଇରେ ଭୁବନେଶ୍ୱର ସହରାଞ୍ଚଳ ଜିଲା ପୋଲିସର ବିଭିନ୍ନ ଥାନା ଅଞ୍ଚଳରେ ୪ ହଜାର ୧୫୬ ଜଣ ଏହି ନିୟମ ଉଲ୍ଲଂଘନ କରି ୨୦ ଲକ୍ଷ ୯୯ ହଜାର ୧୦୦ ଜରିମାନା ଗଣିଛନ୍ତି। ଏମାନଙ୍କ ମଧ୍ୟରୁ ଖାରବେଳନଗର ଥାନା ଅଞ୍ଚଳରେ ସର୍ବାଧିକ ୫୨୬ଜଣ ନିୟମ ଉଲ୍ଲଂଘନକାରୀ ରହିଥିବାବେଳେ ଏମାନଙ୍କଠାରୁ ସର୍ବାଧିକ ୨ ଲକ୍ଷ ୬୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିଭଳି ମୈତ୍ରୀବିହାର ଥାନା ଅଞ୍ଚଳରେ ୩୨୬ ଓ ଶହୀଦନଗର ଥାନା ଅଞ୍ଚଳରେ ୩୧୮ଜଣ ନିୟମ ଉଲ୍ଲଂଘନକାରୀ ଯଥାକ୍ରମେ ୧ ଲକ୍ଷ ୬୪ ହଜାର ୧୦୦ ଏବଂ ୧ ଲକ୍ଷ ୫୯ ହଜାର ୫୦୦ ଟଙ୍କା ଜରିମାନା ଦେଇଛନ୍ତି। ଏନେଇ ବୁଧବାର କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share