ପୁରୁଷୋତ୍ତମପୁର,୧୧ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଇଲାକାର ଋଷିକୁଲ୍ୟା ନଦୀରୁ ବେଆଇନ୍ ଭାବେ ବାଲି ଚାଲାଣ ହେଉଛି। ତହସିଲ ପ୍ରଶାସନ ପକ୍ଷରୁ ଏହାର ଧରପଗଡ଼ ହେଉଛି। ରବିବାର ଗୋଟିଏ ରାତିରେ ୫ ଲକ୍ଷ ଟଙ୍କାର ଜରିମାନା ଆଦାୟ ହେଇଛି। ଯାହାକି ପୁରୁଷୋତ୍ତମପୁର ତହସିଲରେ ଏଭଳି ମୋଟା ଅଙ୍କର ଜରିମାନା ଆଦାୟ ପ୍ରଥମ ଘଟଣା। ତହସିଲଦାର ନିତିଶ କୁମାର ତ୍ରିପାଠୀ ଓ ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ ରବିବାର ରାତିରେ ମୁକୁନ୍ଦପୁର ଗ୍ରାମ ନିକଟରେ ଅତର୍କିତ ଚଢାଉ କରି ବେଆଇନ ବାଲି ଚାଲାଣ କରୁଥିବା ୧୮ଟି ଟ୍ରକ୍ ଓ ୭ଟି ଟ୍ରାକ୍ଟରରୁ ଏହି ଜରିମାନା ଆଦାୟ କରିଛନ୍ତି। ଏହାକୁ ନେଇ ମାଫିଆମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।