କୁତ୍ରା,୯ା୬(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ପତ୍ରାପଡ଼ା ନିକଟ ପ୍ରାୟ ୧୦ ଏକର ଜମିରେ ଥିବା କାଜୁ ବଗିଚାରେ ଗୁରୁବାର ମଧ୍ୟାହ୍ନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ କାଜୁ ବାଦାମ ଗଛ ବିଶେଷ କ୍ଷତି ହୋଇ ନ ଥିବା ବେଳେ ନୂତନ କରି ଲଗାଯାଇଥିବା ବିଭିନ୍ନ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। କାଜୁ ବଗିଚାରେ ନିଆଁ ଲାଗିବା ନେଇ ସ୍ଥାନୀୟ ସରପଞ୍ଚ ଭୁବନ କୁଜୁର ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ଓ ବନ ବିଭାଗକୁ ଖବର ଦେଇଥିଲେ। ବଗିଚା ଭିତରେ ଶୁଖିଲା ବୁଦା ଓ ଘାସ ଥିବାରୁ ଦେଖୁ ଦେଖୁ ନିଆଁ ଆଗକୁ ଆଗକୁ ବ୍ୟାପିଥିଲା। କୁତ୍ରା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପରେ ବନବିଭାଗ କର୍ମଚାରୀ ପହଞ୍ଚି ବ୍ଲୋୟର ମେଶିନ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସେମାନେ ସଫଳ ହୋଇଥିଲେ। ସରପଞ୍ଚ କୁଜୁର ଡାହିଜିରା ମଖାପଡ଼ା ବନ ସୁରକ୍ଷା ସମିତିର ସଦସ୍ୟ ଉପସ୍ଥିତ ରହି ଅଗ୍ନିଶମ ଓ ବନ ବିଭାଗକୁ ନିଆଁ ଆୟତ୍ତ କରିବାରେ ସହଯୋଗ କରିଥିଲେ। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।