ତାଳଚେର, ୬।୨(ମନୋଜ ନନ୍ଦ): ଅନୁଗୋଳ ଜିଲାର ତାଳଚେରସ୍ଥିତ ଏମସିଲ ଅଧିନସ୍ଥ ଭରତପୁର କୋଇଲା ଖଣି ସାଇଲୋରେ ସର୍ଟସର୍କିଟ ଯୋଗୁ ସାଇଲୋ ବେଲ୍ଟରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ କାହାର କୌଣସି ଅଘଟଣ ଘଟି ନ ଥିବାବେଳେ ବେଲ୍ଟ ଓ ବିଭିନ୍ନ ଯନ୍ତ୍ରାଂଶ ପୋଡି ଯାଇଛି।
ସୂଚନାଅନୁସାରେ, ଆଜି ସକାଳୁ ସାଇଲୋରେ ଲାଗିଥିବା ବେଲ୍ଟ ଯୋଗେ କୋଇଲା ପରିବହନ ହେଉଥିବା ବେଳେ ହଠାତ ବେଲ୍ଟରେ ନିଆଁ ଲାଗିଯାଇଥିଲା। ପାଖାପାଖି ବେଲ୍ଟଟି ୫୦ରୁ ୬୦ ମିଟର ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ କଳା ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଏମ୍ସିଏଲର ୪ଟି ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ଯାହାକୁ ନେଇ ସାଇଲୋରେ ରେଳ ଯୋଗେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏମ୍ସିଏଲର ରକ୍ଷଣାବେକ୍ଷଣାର ଅଭାବ ଏବଂ ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଶ୍ରମିକ ମହଲରେ ଅଭିଯୋଗ ହେଉଛି।