ବିଲି୍ଡଂରେ ଲାଗିଲା ନିଆଁ: ଜଳିଗଲେ ଭାରତୀୟ ସାମ୍ବାଦିକ

ନ୍ୟୁୟର୍କ, ୨୫।୨: ଆମେରିକାରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳର ଏକ କୋଠାରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକ ଫୈଜଲ ଖାନ୍‌ଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଭାରତୀୟ ଦୂତାବାସ ପକ୍ଷରୁ ଫୈଜଲଙ୍କ ପରିବାର ଓ ବନ୍ଧୁଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କ ମୃତ ଶରୀରକୁ ଭାରତ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦିଆଯାଇଛି।
ହାର୍ଲେମରେ ଥିବା ଏକ ୬ ତାଲା ବିଶିଷ୍ଟ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଏକ ଲିଥିୟମ ବ୍ୟାଟେରିରେ ବିସ୍ଫୋରଣ ଘଟି ନିଆଁ ଲାଗିଥିବାରୁ ଏହି ଅଘଟଣ ଘଟିଛି। ଅଗ୍ନିକାଣ୍ଡରେ ଫୈଜଲଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଆହତ ହୋଇଥିବା ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ମୃତ ଫୈଜଲ କଲମ୍ବିଆ ଜର୍ନାଲିଜମ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ବେଳେ ସେ ନ୍ୟୁୟର୍କର ‘ହେଚିଙ୍ଗର ରିପୋର୍ଟ’ ସଂସ୍ଥା ସହ ଜଣେ ଡାଟା ରିପୋର୍ଟର ଭାବେ ଜଡ଼ିତ ଥିଲେ। ୨୦୨୦ରେ ଫୈଜଲ ଉଚ୍ଚଶିକ୍ଷା ପାଇଁ ନ୍ୟୁୟର୍କ ଯାଇଥିଲେ।

Share