ଇସଲାମାବାଦ,୫ା୪: ଉତ୍ତର ପଶ୍ଚିମ ପାକିସ୍ତାନରେ ଜଳ ବିଦ୍ୟୁତ୍ ଡ୍ୟାମ୍ ପରିଚାଳନା କରୁଥିବା ଏକ ଚାଇନା କମ୍ପାନୀର ଆବାସିକ ଶିବିରରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିବା ବୁଧବାର ସୂଚନା ମିଳିଛି।
କୋହିସ୍ତାନର ବାର୍ସିନ ଅଞ୍ଚଳରେ ଚାଇନାର ଇଞ୍ଜିନିୟର ତଥା ଜଳ ବିଦ୍ୟୁତ୍ ପ୍ରକଳ୍ପର ଶ୍ରମିକମାନଙ୍କ ଗୋଡାଉନ ଏବଂ ଆବାସିକ ଶିବିରରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ପୋଲିସ କହିଛି, ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିବାକୁ ୫ ଘଣ୍ଟା ସମୟ ଲାଗିଥିଲା ଏବଂ ଶଟ୍ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନ ଥିବା ପୋଲିସ କହିଛି। ଜରୁରିକାଳୀନ ଅଧିକାରୀ ଖାଲିକ ଦାଦ୍ କହିଛନ୍ତି, ଏହି ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳକୁ ବ୍ୟାପିଥିଲା। କ୍ୟାମ୍ପ ଏବଂ ଗୋଡାଉଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ସେ କହିଛନ୍ତି, ଚାଇନାର ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ନିକଟସ୍ଥ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।