Advertisement

ଜ୍ଞାନମନ୍ଦିରରେ ଲାଗିଲା ନିଆଁ

କୋରାପୁଟ,୪ା୧୦(ଅମିତାଭ ବେହେରା): ବୁଧବାର ଅପରାହ୍ନରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରର ଜ୍ଞାନମନ୍ଦିର ତଥା ଶାବର ସଂସ୍କୃତି ଗବେଷଣା କେନ୍ଦ୍ର ପରିସରରେ କୌଣସି କାରଣରୁ ନିଆଁ ଲାଗିଯାଇଥିବା ବେଳେ ସ୍ଥାନୀୟ ଅଗ୍ନିଶମ ବିଭାଗ ତୁରନ୍ତ ପଦକ୍ଷେପ ଯୋଗୁ ନିଆଁ ଆୟତ୍ତ ହୋଇଥିବା ଅଗ୍ନିଶମ କେନ୍ଦ୍ର ଅଧିକାରୀ ବିଜୟ କ୍ରିଷ୍ଣା ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ସ୍ଥାନୀୟ ଶାବର ଶ୍ରକ୍ଷେତ୍ରର ଜ୍ଞାନମନ୍ଦିରରେ ଯେଉଁଠାରେ ୮ ହଜାରରୁ ଊର୍ଦ୍ଧ୍ୱ ମୂଲ୍ୟବାନ ପୁସ୍ତକ ରହିଥିବା ବେଳେ କୌଣସି କାରଣରୁ ସେଠାରେ ନିଆଁ ଲାଗି ବନ୍ଦଥିବା ଝରକାରେ ଧୂଆଁ ବାହାରିବା ଦେଖି ସ୍ଥାନୀୟ କିଛି ବ୍ୟକ୍ତି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ଅଗ୍ନିଶମ ବିଭାଗର ଅଧିକାରୀ ବିଜୟ କ୍ରିଷ୍ଣାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଅଧଘଣ୍ଟା ଧରି ପାଣି ପକାଇବା ପରେ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ଶଟ୍‌ସର୍କିଟ୍‌ ଯୋଗୁ ଏହି ନିଆଁ ଲାଗି ଥାଇପାରେ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଅବସରରେ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଡଃ ଜଗବନ୍ଧୁ ସାମଲଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share