ନ୍ୟୁଜିଲାଣ୍ଡ ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ନିଆଁ

ଓ୍ବେଲିଙ୍ଗଟନ୍‌,୩।୩: କୋଭିଡ୍‌ ମହାମାରୀ ଟିକାକରଣକୁ ବିରୋଧ କରି ନ୍ୟୁଜିଲାଣ୍ଡ ରାଜଧାନୀ ଓ୍ବେଲିଙ୍ଗଟନ୍‌ରେ ୨୩ ଦିନ ଧରି ଜାରି ରହିଛି ବିକ୍ଷୋଭ। ବିକ୍ଷୋଭକାରୀମାନେ ଓ୍ବେଲିଙ୍ଗଟନ୍‌ରେ ଥିବା ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଟେଣ୍ଟ ବାନ୍ଧି ପ୍ରତିବାଦ କରୁଥିବାବେଳେ ବୁଧବାର ପୋଲିସ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା। ପ୍ରଦର୍ଶନକାରୀଙ୍କୁ ପାର୍ଲାମେଣ୍ଟ ଗ୍ରାଉଣ୍ଡରୁ ହଟାଇବା ପାଇଁ ପୋଲିସ ସେମାନଙ୍କ ଉପରକୁ ରବର ବୁଲେଟ ପ୍ରୟୋଗ କରିଥିଲା। ଦୁଇ ଗୋଷ୍ଠୀ ସଂଘର୍ଷ ଭିତରେ ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଥିବା ଟେଣ୍ଟରେ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଥିଲେ। ଘଟଣାର ସୂଚନା ପାଇ ଅଗ୍ନିଶମ ବିଭାଗ ସେଠାର ପହଞ୍ଚି ନିଆଁକୁ ଆୟତ କରିଥିଲା। ନିଆଁ ଲାଗିବା ଦ୍ୱାରା ୫,୭୨,୦୦୦ ଡଲାରରେ ତିଆରି ପାର୍ଲାମେଣ୍ଟ ଗ୍ରାଉଣ୍ଡର ଅଧିକାଂଶ ଭାଗ ନଷ୍ଟ ହୋଇଯାଇଛି। ଟିକାକରଣକୁ ବିରୋଧ କରୁଥିବା ଲୋକେ ଓ୍ବେଲିଙ୍ଗଟନ୍‌ର ପ୍ରମୁଖ ରାସ୍ତାରେ କାର୍‌, ଟ୍ରକ୍‌ ରଖି ରାସ୍ତା ବନ୍ଦ କରିଛନ୍ତି। ଦୀର୍ଘ ୨୩ ଦିନ ଧରି ପ୍ରଦର୍ଶନ ଜାରି ଥିବାବେଳେ ବୁଧବାର ପୋଲିସ ରାସ୍ତାରୁ ଏହି ଗାଡ଼ି ସବୁକୁ ହଟାଇଥିଲା; ଫଳରେ ପ୍ରଦର୍ଶନକାରୀ ପୋଲିସକୁ ବିରୋଧ କରିଥିଲେ। ବର୍ତ୍ତମାନ ସୁଦ୍ଧା ୬୦ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିବାବେଳେ ପାଖାପାଖି ୩ ପୋଲିସ ଅଫିସର ଆହତ ହୋଇଛନ୍ତି। ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ଅଗ୍ନିକାଣ୍ଡ ଯୋଗୁ ସେ ଦୁଃଖିତ ଥିବା କହିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୁସିଣ୍ଡା ଆରଡର୍ନ।
ଟିକାକରଣକୁ ବିରୋଧ କରି ପ୍ରଦର୍ଶନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ଦେଶରୁ କରୋନା କଟକଣା ହଟାଇବା ପାଇଁ ପ୍ରଦର୍ଶନକାରୀ ଦାବି କରୁଛନ୍ତି। କିଛିଦିନ ପୂର୍ବେ କାନାଡାରେ ଟ୍ରକ୍‌ ଡ୍ରାଇଭରମାନେ ଟିକାକରଣକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡିଉଙ୍କ ବାସଭବନ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡରେ ୧,୧୮,୦୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫୬ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ମାତ୍ରା କମ୍‌ ରହିଛି।

Share