Advertisement

ଭାସିଗଲା ଅସ୍ଥାୟୀ ବାଉଁଶ ପୋଲ

ରାଉରକେଲା,୩୦।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ନିକଟ କୋଏଲ ନଦୀରେ ନିର୍ମିତ ଏକ ଅସ୍ଥାୟୀ ବାଉଁଶ ପୋଲ ବୁଧବାର ବିଳମ୍ବିତ ରାତିରେ ଭାସିଯାଇଛି। ଫଳରେ ଗୁରୁବାରଠାରୁ ଉକ୍ତ ବାଉଁଶ ପୋଲ ଦେଇ ରାଉରକେଲାକୁ ୧୬ଟି ଗ୍ରାମର ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡ ଅଞ୍ଚଳରୁ ବନ୍ୟାପାଣି ଆସି କୋଏଲ ନଦୀରେ ମିଶିବାରୁ ଏଭଳି ହୋଇଥିବା ଜଣାପଡିଛି।
କୁଆଁରମୁଣ୍ଡା ବ୍ଲକ ଝାରବେଡା ଓ କଚାରୋ ଗ୍ରାମପଞ୍ଚାୟତ ଅଧୀନ ୧୬ ଗ୍ରାମବାସୀ ରାଉରକେଲା ସହରକୁ ହମିରପୁର ନଦୀଘାଟ ଦେଇ ଯାତାୟାତ କରିଥାନ୍ତି। ଏଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ କୋଏଲ ନଦୀରେ ହମିରପୁରଠାରୁ-ପସରା ଯାଏ ୧କିମି ବିଶିଷ୍ଟ ଅସ୍ଥାୟୀ ବାଉଁଶ ପୋଲ ତିଆରି କରାଯାଇଛି। ଏହାକୁ ଜଣେ ଠିକାଦାର ନିଲାମ ସୂତ୍ରରେ ନେଇ ରାଉରକେଲା ସହରକୁ ଆସୁଥିବା ଲୋକଙ୍କ ମୁଣ୍ଡ ପିଛା ୧୦ଟଙ୍କା ଲେଖାଏଁ ଟିକସ ଆଦାୟ କରୁଥିଲେ। ଫଳରେ ଏହି ବାଉଁଶ ପୋଲ ଦେଇ ହଜାର ହଜାର ଲୋକ ଯାତାୟାତ କରିପାରୁଥିଲେ। ମାତ୍ର ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁ ଝାଡ଼ଖଣ୍ଡ ଅଞ୍ଚଳରୁ ନିଷ୍କାସିତ ବନ୍ୟାପାଣି ସିଧାସଳଖ କୋଏଲ ନଦୀରେ ମିଶିବାରୁ ବୁଧବାର ବିଳମ୍ବିତ ରାତିରେ ଅସ୍ଥାୟୀ ବାଉଁଶ ପୋଲ ଭାସିଯାଇଛି। ତେବେ ବିଳମ୍ବିତ ରାତିରେ ପୋଲ ଭୁଶୁଡି ପଡିଥିବାରୁ କୌଣସି ଧନଜୀବନ ନଷ୍ଟ ହୋଇ ନ ଥିବା କୁହାଯାଇଛି। ଅନ୍ୟପକ୍ଷେ ଲୋକମାନଙ୍କ ଯାତାୟାତ ଲାଗି ନଦୀରେ ଡଙ୍ଗା ବ୍ୟବସ୍ଥା କରାଯିବ ବୋଲି ଠିକା ସଂସ୍ଥା ପକ୍ଷରୁ କୁହାଯାଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳର ଅନୀଲ ଏକ୍କା କୁହନ୍ତି, ମିଟକୁନ୍ଦ୍ରୀ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଦୀର୍ଘ ୪ବର୍ଷ ତଳୁ ଚାଲିଥିବା ବେଳେ ବର୍ତ୍ତମାନ ଅଧାପନ୍ତରିଆ ଅବସ୍ଥାରେ ରହିଛି। ସେତୁ ନିର୍ମାଣ ହୋଇଗଲେ କୁଆଁରମୁଣ୍ଡା ବ୍ଲକ ଅଞ୍ଚଳର ଲୋକମାନେ ଉପକୃତ ହେବେ। ଏଥିସହ ଉକ୍ତ ୧୬ଟି ଗାଁକୁ ମୋ ବସ ଚଳାଚଳ କରାଗଲେ କୋଏଲ ନଦୀରେ ବିପଦପୂର୍ଣ୍ଣ ଯାତ୍ରା ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରାଉରକେଲା ଭାରପ୍ରାପ୍ତ ତହସିଲଦାର ଶ୍ରୀମତୀ ଚାନ୍ଦନୀଙ୍କୁ ପଚାରିବାରୁ ଏହି ସମସ୍ୟା ନେଇ ହମିରପୁର ରାଜସ୍ବ ସର୍କଲ ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share