ବିଦେଶୀ ସାଜିପାରନ୍ତି ଦୂତ

ଭାରତକୁ ଏକ ଧର୍ମନିରପେକ୍ଷ ଦେଶ ବୋଲି କୁହାଯାଉଥିଲା। ଏବେ ଅବଶ୍ୟ ତାହା ମଳିନ ପଡ଼ିଗଲାଣି। ଏଠାରେ ପ୍ରତ୍ୟେକ ଧର୍ମକୁ ସମାନ ଗୁରୁତ୍ୱ ଦିଆଯିବାର ନିୟମ ସମ୍ବିଧାନରେ ଉଲ୍ଲିଖିତ ରହିଛି। ହେଲେ ଅନେକ ସ୍ଥାନରେ ଉପୁଜୁଥିବା ସ୍ଥିତିକୁ ଦେଖିଲେ ଏହି ଦେଶ ସରକାରୀ ଭାବେ ଧର୍ମନିରପେକ୍ଷତା ବଜାୟ ରଖିଥାଇପାରେ। ନିକଟରେ ତା’ର ବଡ଼ ଦୃଷ୍ଟାନ୍ତ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ‘ଘୋ’କୁ ଦେଖି ସମାଲୋଚକମାନେ ଏଭଳି ମନ୍ତବ୍ୟ ଦେଇଥିଲେ। ଏବେ ମୋଦିଙ୍କ ରାଜ୍ୟ ଗୁଜରାଟର ଅହମଦାବାଦଠାରେ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ମାର୍ଚ୍ଚ ୧୬ ରାତି ସାଢ଼େ ୧୦ଟାରେ କେତେକ ବିଦେଶୀ ଛାତ୍ର ହଷ୍ଟେଲ କ୍ୟାମ୍ପସରେ ନମାଜ ପାଠ କରିଥିଲେ। ଏଥିରେ ଅତିଷ୍ଠ ହୋଇ ୨୦ରୁ ୨୫ ଲୋକ ହଷ୍ଟେଲ ପରିସରରେ ପଶି ସେମାନଙ୍କୁ ଏଭଳି ନ କରିବାକୁ ପ୍ରତିବାଦ କରିଥିଲେ। ହଷ୍ଟେଲରେ ନୁହେଁ, ମସ୍‌ଜିଦରେ ନମାଜ ପାଠ କରିବାକୁ କହିଥିଲେ। ଏହା ପରେ ସେହି ବିଦେଶୀ ଛାତ୍ରଙ୍କ ସହ ସେମାନଙ୍କ ବଚସା ହୋଇଥିଲା। ଫଳସ୍ବରୂପ ଗଣ୍ଡଗୋଳର ସୂତ୍ରପାତ ହେବାରୁ ବିଦେଶୀ ଛାତ୍ରଙ୍କ ଉପରେ ସେମାନେ ଆକ୍ରମଣ କରିଥିଲେ। ପରିସ୍ଥିତି ତୀବ୍ର ହେବାରୁ ଆହତ ଦୁଇ ଛାତ୍ରଙ୍କୁ ଅହମଦାବାଦସ୍ଥିତ ଏସ୍‌ଭିପି ହସ୍ପିଟାଲରେ ଭର୍ତ୍ତି ହେବାକୁପଡ଼ିଛି। ସୂଚନା ଦିଆଯାଇପାରେ ଯେ, ଗୁଜରାଟ ବିଶ୍ୱବିଦ୍ୟାଳୟରେ ଆଫ୍ରିକା, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସମେତ ଅନ୍ୟାନ୍ୟ ଦେଶରୁ ପ୍ରାୟ ୩୦୦ ଛାତ୍ର ପାଠ ପଢ଼ୁଛନ୍ତି।
ଦେଖିବାକୁ ଗଲେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତରେ କମ୍‌ ବିଦେଶୀ ଛାତ୍ର ପାଠ ପଢ଼ିବାକୁ ଆସିଥାଆନ୍ତି। ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଦୁର୍ବ୍ୟବହାର କରାଗଲେ ଅନ୍ତର୍ଜାତୀୟ ବିଦ୍ୟାର୍ଥୀଙ୍କ ସଂଖ୍ୟା ଆହୁରି ହ୍ରାସ ଘଟିବା ନିଶ୍ଚିତ। ଭାରତର ସମ୍ବିଧାନ ପ୍ରତ୍ୟେକ ଧର୍ମର ବ୍ୟକ୍ତିଙ୍କୁ ସେମାନଙ୍କ ବିଶ୍ୱାସ ଅନୁଯାୟୀ ପୂଜାପାଠ କିମ୍ବା ରୀତିନୀତି ଅନୁପାଳନ କରିବା ଲାଗି ସୁଯୋଗ ଦେଇଛି। ବିବିଧତା ଭିତରେ ଏକତା ରହୁଥିବାରୁ ଭାରତର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥିଲା। କିନ୍ତୁ ସଂଖ୍ୟାଗରିଷ୍ଠ ବର୍ଗରୁ କେତେକ ଧର୍ମରକ୍ଷକ ସାଜି ଗତ ଏକ ଦଶନ୍ଧି ହେବ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିଚାଲିଛନ୍ତି। ଫଳରେ ସଂଖ୍ୟାଲଘୁ ଭୟଭୀତ ହେବା ସ୍ବାଭାବିକ। ଅନ୍ୟପକ୍ଷରେ ପାକିସ୍ତାନ କିମ୍ବା ବାଂଲାଦେଶରେ ହିନ୍ଦୁମାନେ ସଂଖ୍ୟାଲଘୁ ହୋଇଥିବାରୁ ସେମାନଙ୍କ ଉପରେ ସଂଖ୍ୟାଗରିଷ୍ଠ ମୁସଲମାନ ସମ୍ପ୍ରଦାୟ ଅତ୍ୟାଚାର କରୁଥିବା ଖବର ମିଳୁଛି। କିନ୍ତୁ ଆମେ ଭାରତୀୟ ଯଦି ପାକିସ୍ତାନ କିମ୍ବା ବାଂଲାଦେଶୀଙ୍କ ସ୍ତରକୁ ଓହ୍ଲାଇଯିବା ତେବେ ତାଙ୍କ ଓ ଆମ ଭିତରେ କୌଣସି ପାର୍ଥକ୍ୟ ରହିବ ନାହିଁ।
କେତେକେ କହୁଛନ୍ତି, ଭାରତ ବିଶ୍ୱରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ହେବାକୁ ଯାଉଛି। ୨୦୪୭ ସୁଦ୍ଧା ଭାରତ ବିକଶିତ ଦେଶ ଭାବେ ଉଭା ହେବ। ବ୍ୟକ୍ତି ବା ରାଷ୍ଟ୍ର ପାଇଁ ଉଚ୍ଚାକାଂକ୍ଷା ରହିବା ଭଲ। କିନ୍ତୁ ତାହାକୁ ପୂରଣ କରିବା ଲାଗି ଆବଶ୍ୟକ ଉପାଦାନଗୁଡ଼ିକ କିଭଳି ରହିଛି, ତାହା ଉପରେ ଗଭୀର ଅନୁଶୀଳନ ଦରକାର। ସଂକୀର୍ଣ୍ଣ ମନ ନେଇ ଆଗକୁ ବଢ଼ି ହୁଏନାହିଁ। ଗୁଜରାଟ ବିଶ୍ୱବିଦ୍ୟାଳୟରେ ଯେଉଁ ଅନ୍ତର୍ଜାତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହେଲା, ନିଶ୍ଚିତ ଭାବେ ସେମାନଙ୍କ ଦେଶରେ ଭାରତ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଯାଇଥିବ। ସାଧାରଣତଃ ଆମେରିକା ହେଉ ବା ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟର ଶିକାର ହେଲେ ଏଠାରେ ଆମେ ନିନ୍ଦା କରିଥାଉ। ଅନୁରୂପ ଘଟଣା ଭାରତରେ ଘଟିଲେ ବିଶ୍ୱ ଦରବାରରେ ଆମେ ନିନ୍ଦିତ ହେବା ଥୟ।
ଗୋଟେ ଦେଶର ବୈଜ୍ଞାନିକ, ଆର୍ଥନୀତିକ, ବାଣିଜି୍ୟକ, ସାମାଜିକ ଓ ସାଂସ୍କୃତିକ ସମୃଦ୍ଧି ଘଟିଲେ ସେହି ରାଷ୍ଟ୍ର ଉନ୍ନତ ହୋଇଥାଏ। ଏଠାକୁ ଯେତିକି ବିଦେଶୀ ଛାତ୍ର ଅସୁଛନ୍ତି ସେମାନଙ୍କ ପ୍ରତି ଉଚିତ ବ୍ୟବହାର କରାଗଲେ ସେମାନେ ଯେତେବେଳେ ସ୍ବଦେଶ ଫେରିବେ ସେତେବେଳେ ଭାରତ ପାଇଁ ଦୂତ ସାଜିପାରନ୍ତି। କିନ୍ତୁ ଅପ୍ରୀତିକର ସ୍ଥିତି ଉପୁଜୁଥିବାରୁ ବିଦେଶୀ ଛାତ୍ରଙ୍କ ଆଗମନ ହ୍ରାସ ପାଇଯାଇପାରେ। ଏହାଦ୍ୱାରା ଭାରତ ଆର୍ଥିକ ଦୃଷ୍ଟିରୁ ମଧ୍ୟ କ୍ଷତି ସହିବ। ଧର୍ମ ପଛରେ ଦୌଡ଼ି ଅର୍ଥନୀତିକୁ ଦୁର୍ବଳ କରିଦେଲେ ଦେଶବାସୀ କୌଣସି ସ୍ତରରେ ଲାଭ ପାଇପାରିବେ ନାହିଁ। ଅତଏବ ଏଭଳି ସ୍ଥଳେ ଗୁଜରାଟ ବିଶ୍ୱବିଦ୍ୟାଳୟର ବିଦେଶୀ ଛାତ୍ରଙ୍କୁ ଯେଉଁମାନେ ଆକ୍ରମଣ କରିଛନ୍ତି, ତୁରନ୍ତ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ତାହା ହେଲେ ବିଦେଶୀ ରାଷ୍ଟ୍ରଗୁଡ଼ିକୁ ବାର୍ତ୍ତାଯିବ ଯେ ଧର୍ମନିରପେକ୍ଷତାରେ ବିଶ୍ୱାସୀ ଭାରତ ସରକାର ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri