Categories: ଜାତୀୟ

ବିପତ୍ତି ଡାକୁଛି ଜଙ୍ଗଲ ନିଆଁ

ଡେରାଡୁନ୍‌,୬ା୫:ଉତ୍ତରାଖଣ୍ଡ ଜଙ୍ଗଲରେ ଗତ ନଭେମ୍ବରରୁ ଅଦ୍ୟାବଧି ୮୮୬ ଥର ନିଅଁା ଲାଗିଛି। ବନାଗ୍ନିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜାଣିଶୁଣି ନିଆଁ ଲଗାଇବା ଅଭିଯୋଗରେ ୬୪ ଜଣଙ୍କୁ ଗିରଫ କରାଗଲାଣି। ଏହି ନିଆଁରେ ୧,୧୦୭ ହେକ୍ଟର ଜଙ୍ଗଲ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଜଙ୍ଗଲ ନିଆଁ ଯୋଗୁ ହିମବାହ ତରଳି ସମ୍ପୃକ୍ତ ଅଞ୍ଚଳର ଜୈବବିବିଧତାକୁ ନଷ୍ଟକରି ପରିବେଶକୁ ବଡ଼ କ୍ଷତି ପହଞ୍ଚାଇବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଦେବଭୂମି ରୂପେ ପରିଚିତ ଉତ୍ତରାଖଣ୍ଡର ଚାମୋଲିସ୍ଥିତ ଜଙ୍ଗଲରେ କିଛି ଦିନ ହେଲା ଭୀଷଣ ନିଆଁ ଲାଗିଥିବାବେଳେ ଏହାକୁ କିଛିମାତ୍ରାରେ ଆୟତ୍ତ କରାଯାଇଛି। ତେବେ ଏହି ଅଞ୍ଚଳ ବିପଦମୁକ୍ତ ହୋଇପାରିନାହିଁ। ଏହାର ପ୍ରଭାବ ଉପରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜିର ପୂର୍ବତନ ବୈଜ୍ଞାନିକ ପି.ଏସ୍‌. ନେଗି ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ନେଗି କହିଛନ୍ତି, ଗ୍ରୀଷ୍ମଋତୁରେ ଜଙ୍ଗଲ ନିଆଁରୁ ଉଠୁଥିବା ଧୂଆଁ ଯୋଗୁ ଏହି ଅଞ୍ଚଳର ଆକାଶରେ କଳା ଅଙ୍ଗାରର ଏକ ଘନ ଆସ୍ତରଣ ବସିଯିବ। ଏହାର ପ୍ରଭାବରେ ହିମାଳୟର ହିମବାହ ତରଳିବ, ଯାହାକି ସମ୍ପୂର୍ଣ୍ଣ ଜୈବଶୃଙ୍ଖଳକୁ ପ୍ରଭାବିତ କରିବ। ଏହା ପରିବେଶର ସନ୍ତୁଳନକୁ ନଷ୍ଟ କରିଦେବା ଆଶଙ୍କା ରହିଛି।
ବିଶ୍ୱବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ଅଧ୍ୟୟନରେ ବରଫ ତରଳିବାରେ କଳା ଅଙ୍ଗାର ଭୂମିକା ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଉକ୍ତ ରିପୋର୍ଟ ଅନୁସାରେ କଳା ଅଙ୍ଗାର ଜମାଟ ବାନ୍ଧିଲେ ହିମବାହ ସୌର ବିକିରଣ କରିବା ବଢ଼ିଯାଇଥାଏ। ଏଥିଯୋଗୁ ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧିପାଏ, ଯାହାକି ଗ୍ରେସିଅର ତରଳିବାରେ ପୁଣି ସହାୟକ ହୋଇଥାଏ। ସେହିପରି ଜି.ବି. ପନ୍ଥ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଏନ୍‌ଭାଇରୋନ୍‌ମେଣ୍ଟ ଗବେଷକ ଜେ.ସି. କୁନିଆଲ ମଧ୍ୟ ଏହି ଅଞ୍ଚଳରେ ଜଙ୍ଗଲ ନିଆଁ ଯୋଗୁ ପରିବେଶ ପ୍ରତି ସଙ୍କଟ ସୃଷ୍ଟି ହୋଇଥିବା କହିଛନ୍ତି। ଇତିମଧ୍ୟରେ ହିମାଳୟରେ ହିମବାହ ତରଳିବା ବାଦଲଫଟା ବର୍ଷା ଭଳି ବିପତ୍ତିକୁ ଡାକିଆଣିପାରେ ବୋଲି ବିଶ୍ୱ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମ୍‌ଓ) ସତର୍କ କରାଇଛି।

Share