ପ୍ୟାରିସ,୨୮।୬: ବିଶ୍ୱ ପାଇଁ ଜଙ୍ଗଲ କ୍ଷୟ ଏକ ବଡ଼ ବିପଦ। ୨୦୨୨ରେ ନ୍ୟୁଜିଲାଣ୍ଡ ଆକାରର ଚିରହରିତ୍ ଅରଣ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଚାରଣ ଭୂମି ଓ କୃଷି କାର୍ଯ୍ୟ ଯୋଗୁ ଜଙ୍ଗଲର ଆୟତନ କ୍ରମଶଃ କମିବାରେ ଲାଗିଛି। ସାଟେଲାଇଟ୍ ଡେଟା ଅନୁସାରେ ଗଛ କାଟିବା ଏବଂ ବନାଗ୍ନି ଦ୍ୱାରା ପ୍ରତି ୫ ସେକେଣ୍ଟରେ ଫୁଟ୍ବଲ୍ ପିଚ୍ ଆକାରର ଜଙ୍ଗଲ କ୍ଷୟ ହୋଇଯାଉଛି। ପୂର୍ବ ଦିନ ତୁଳନାରେ ବର୍ତ୍ତମାନ ୧୦ ଗୁଣା ଜଙ୍ଗଲ ନଷ୍ଟ ହେଉଥିବା ଓ୍ବାଲର୍ଡ ରିସୋର୍ସ ଇନ୍ଷ୍ଟିଚ୍ୟୁଟ (ଡବ୍ଲ୍ୟୁଆର୍ଆଇ) ପକ୍ଷରୁ କୁହାଯାଇଛି।
ଯେଉଁ ପରିମାଣର ଚିରହରିତ୍ ଅରଣ୍ୟ କ୍ଷୟ ହୋଇଥିଲା ସେଥିରୁ ୨.୭ ବିଲିୟନ୍ ଟନ୍ ପରିମାଣର ଅଙ୍ଗାରକାମ୍ଳ ନିର୍ଗତ ହୋଇଥିଲା। ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତରେ ପ୍ରତିବର୍ଷ ଜୀବାଶ୍ମ ଇନ୍ଧନରୁ ସମାନ ପରିମାଣର ଅଙ୍ଗାରକାମ୍ନ ବାୟୁମଣ୍ଡଳରେ ମିଶୁଥିବା ଡବ୍ଲ୍ୟୁଆର୍ଆଇ ସୂଚନା ଦେଇଛି। ବ୍ରାଜିଲରେ ପ୍ରତିବର୍ଷ ୪୩% ଚିରହରିତ୍ ଅରଣ୍ୟ କ୍ଷୟ ହେଉଥିବାବେଳେ ରିପବ୍ଲିକ୍ ଅଫ୍ କଙ୍ଗୋରେ ୧୩% ଏବଂ ବୋଲିଭିଆରେ ୯% ଜଙ୍ଗଲ କ୍ଷୟ ହେଉଛି।
ବିଶ୍ୱ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ଜାରି ରଖିଥିବାବେଳେ ଜଙ୍ଗଲ କ୍ଷୟ ଏକ ବଡ଼ ସମସ୍ୟା ବୋଲି ଡବ୍ଲ୍ୟୁଆର୍ଆଇର ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍ ନିର୍ଦ୍ଦେଶକ ମିକାଇଲା ଓ୍ବେଇସେ କହିଛନ୍ତି। ୧୯୬୦ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ବାୟୁ ମଣ୍ଡଳରେ ଥିବା ମୋଟ ଅଙ୍ଗାରକାମ୍ଳର ୩୦% ବୃକ୍ଷ ଓ ମାଟି ଗ୍ରହଣ କରିଥାନ୍ତି। ବିଶ୍ୱର ମୋଟ ଜନସଂଖ୍ୟାର ଅଧା ଭାଗ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଙ୍ଗଲ ଉପରେ ନିର୍ଭରଶୀଳ। ଜଙ୍ଗଲ କ୍ଷୟ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଆମାଜନ ଜଙ୍ଗଲ ଅଧିକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଥିବାବେଳେ ଏଥିଯୋଗୁ ଖାଲି ଦକ୍ଷିଣ ଆମେରିକା ନୁହେଁ ବରଂ ସାରା ବିଶ୍ୱକୁ କୁପରିଣାମ ଭୋଗିବାକୁ ପଡ଼ିବ। କୋକୋଆ ଉତ୍ପାଦନ ଓ ସୁନା ଖଣି ବଲିଭିଆରେ ଜଙ୍ଗଲ କ୍ଷୟର ମୁଖ୍ୟ କାରଣ। ସେହିପରି ପେରୁ (୩.୯%), ମୋଲୋମ୍ବିଆ (୩୧.%କ), ଲାଓସ୍ (୨.୩%), କାମେରୁନ(୧.୯%)ପପୁଆ ନ୍ୟୁ ଗିନିଆ(୧,୮%) ଏବଂ ମାଲେସିଆରେ (୧.୭%) ଆଦି ଚିରହରିତ୍ ଅରଣ୍ୟ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି।