ଆଧୁନିକ ଗଣତନ୍ତ୍ରର ଅସ୍ତିତ୍ୱର ପ୍ରମାଣ ଓ ପ୍ରତୀକ ହେଉଛି ସ୍ବାଧୀନ ଓ ମୁକ୍ତ ଗଣମାଧ୍ୟମ। ଯେଉଁ ଦେଶର ଗଣମାଧ୍ୟମ ଯେତେ ମୁକ୍ତ ଓ ସ୍ବାଧୀନ, ସେ ଦେଶର ଗଣତନ୍ତ୍ର ସେତେ ସମୃଦ୍ଧ। ସେହି ଦୃଷ୍ଟିରୁ ଦେଖିଲେ ଆମ ଦେଶର ଅବସ୍ଥା ଅତ୍ୟନ୍ତ ନୈରାଶ୍ୟଜନକ। ଆମ ଦେଶରେ ଗଣମାଧ୍ୟମର ଅବସ୍ଥାକୁ ଆକଳନ କରିବାକୁ ହେଲେ ଗଣମାଧ୍ୟମ ପାଇଁ ବ୍ୟବହାର କରାଯାଉଥିବା ଦୁଇଟି ପ୍ରତିଶବ୍ଦ ହଁି ଯଥେଷ୍ଟ। ଗତ କିଛିବର୍ଷ ହେବ ଆମ ଦେଶରେ ଗଣମାଧ୍ୟମକୁ ଗଣିକାମାଧ୍ୟମ ନଚେତ୍ ଗୋଦି ମିଡିଆ ଭାବେ ପରିଭାଷିତ କରାଯାଉଛି। ଅନେକ ଗଣମାଧ୍ୟମ ଅନୁଷ୍ଠାନ ଖବରର ବିଶ୍ଲେଷଣ ନାମରେ ଯାହା ପ୍ରଚାର କରୁଛନ୍ତି ତାହା ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ବିଜ୍ଞାପନ କହିଲେ ଅତ୍ୟୁକ୍ତି ହେବ ନାହଁି। ଗଣମାଧ୍ୟମଗୁଡ଼ିକ ସଂପ୍ରତି ଭୟଙ୍କର ଭାବରେ ଉଦ୍ଦେଶ୍ୟହରା ହୋଇ କେବଳ ଏକ ଲାଭଜନକ ବ୍ୟବସାୟରେ ସୀମିତ ହୋଇଯାଇଛି। ସାଧାରଣ ଲୋକଙ୍କ ଭରସା ଓ ବିଶ୍ୱାସ ହରେଇ ବସିଛି ଆଜିର ଗଣମାଧ୍ୟମ। ମୁକ୍ତ ମତକୁ ପ୍ରସାର କରିବା ପାଇଁ ଅନେକ ସାମ୍ବାଦିକ ଓ ଅନୁଷ୍ଠାନ ଆଜି ସାମାଜିକ ଗଣମାଧ୍ୟମକୁ ଏକ ବିକଳ୍ପ ଭାବେ ଦେଖୁଛନ୍ତି। ଅପରପକ୍ଷରେ ଗଣମାଧ୍ୟମ ଅନୁଷ୍ଠାନଗୁଡ଼ିକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିବା କ୍ଷମତାକେନ୍ଦ୍ର ସଂପ୍ରତି ସାମାଜିକ ଗଣମାଧ୍ୟମକୁ ବି ନିୟନ୍ତ୍ରଣ କରିବାକୁ ପାଗ ଭିଡ଼ୁଛି। ଫଳରେ ଆଜି ଗଣମାଧ୍ୟମର ସ୍ବାଧୀନତା କେବଳ ଏକ ବିଶୁଦ୍ଧ କଳ୍ପନାରେ ସୀମିତ ହୋଇଗଲାଣି।
ଅନ୍ତର୍ଜାତୀୟ ସଂସ୍ଥା ‘ରିପୋର୍ଟର୍ସ ୱିଦ୍ଆଉଟ୍ ବର୍ଡର’ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ‘ବିଶ୍ୱ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ-୨୦୨୨’ର ତାଲିକା ଅନୁସାରେ ୧୮୦ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୫୦। ଏହି ତାଲିକାରେ ଭାରତ ସହିତ ତଳ ଭାଗରେ ଥିବା ଦେଶଗୁଡ଼ିକ ହେଉଛି ଆଫ୍ଗାନିସ୍ତାନ, ସାଉଦି ଆରବ, ମ୍ୟାନ୍ମାର, ଉତ୍ତର କୋରିଆ ଆଦି, ଯେଉଁଠାରେ ପ୍ରାୟତଃ ଅଶାନ୍ତି ଓ ଗୃହଯୁଦ୍ଧ ଭଳି ପରିସ୍ଥିତି ଲାଗିରହିଛି। ପ୍ରଥମ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସ ୨୦୦୨ ମସିହାରେ ହୋଇଥିଲା, ଯେଉଁଥିରେ ଭାରତର ସ୍ଥାନ ଥିଲା ୮୦। ଅର୍ଥାତ୍ ଗତ ୨୦ବର୍ଷ ମଧ୍ୟରେ ଆମ ଦେଶରେ ଗଣମାଧ୍ୟମର ସ୍ବାଧୀନତା ଦ୍ରୁତଗତିରେ ସଙ୍କୁଚିତ ହେବାରେ ଲାଗିଛି। ୨୦୧୪ରେ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତର ସ୍ଥାନ ୧୪୦ ଥିଲାବେଳେ, ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଏହା ଆହୁରି ଦଶଟି ସ୍ଥାନ ତଳକୁ ଖସିଛି। ୨୦୨୨ର ତଥ୍ୟ ଅନୁସାରେ ଭାରତ ସାମ୍ବାଦିକମାନଙ୍କ ପାଇଁ ଏକ ବିପଜ୍ଜନକ ସ୍ଥାନର ତାଲିକାରେ ରହିଛି। ୟୁନେସ୍କୋର ଅଧ୍ୟୟନ ଅନୁସାରେ ୨୦୧୦ରୁ ୨୦୨୨ ମଧ୍ୟରେ ଭାରତରେ ୪୫ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ‘ଫ୍ରି ସ୍ପିଚ୍ କଲେକ୍ଟିଭ୍’ର ରିପୋର୍ଟ କୁହେ ଯେ, ୨୦୨୦ରେ ଆମ ଦେଶରେ ୬୭ଜଣ ସାମ୍ବାଦିକଙ୍କ ବିରୁଦ୍ଧରେ ମକଦ୍ଦମା କରାଯାଇଛି। ଏହି ସବୁ ତଥ୍ୟ ଆମ ଦେଶରେ ଗଣମାଧ୍ୟମର ଦୟନୀୟ ପରିସ୍ଥିତିକୁ ବୟାନ କରୁଛି। ନିକଟ ଅତୀତରେ ଆମେ ଦେଖିଲେ ଯେ ବିବିସି ପରି ଗଣମାଧ୍ୟମ ଅନୁଷ୍ଠାନ କ୍ଷମତା କେନ୍ଦ୍ରର ଦୁର୍ବଳତାକୁ ପ୍ରକାଶ କରୁଥିବା ଏକ ବୃତ୍ତଚିତ୍ର ପାଇଁ କିପରି ଭାବେ ସରକାରୀ ଚଢ଼ାଉର ଶିକାର ହେଲା। ଏପରି କି ସେହି ବୃତ୍ତଚିତ୍ରକୁ ସାଧାରଣରେ ପ୍ରଦର୍ଶନକୁ ସରକାର ନିଷେଧ କରିଛନ୍ତି। ସେହିପରି ସରକାର ବିରୋଧୀ ମତ ପୋଷଣ କରୁଥିବା ଆମ୍ନେଷ୍ଟି ଇଣ୍ଟରନ୍ୟାସ୍ନାଲ ସଂସ୍ଥା ବି ସରକାରୀ ରୋଷର ଶିକାର ହୋଇ ୨୦୨୦ରୁ ବନ୍ଦ ହୋଇଯାଇଛି। ଏସବୁ ଘଟଣା ଗୋଟିଏ କଥା ପ୍ରମାଣ କରୁଛି, ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସରକାରଙ୍କ ଗୁଣଗାନ କରିବାକୁ ହେବ ନଚେତ୍ ଚଢ଼ାଉକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିବାକୁ ହେବ। ଗଣମାଧ୍ୟମର ସ୍ବାଧୀନତା ଭାରତରେ ଏକ ପ୍ରହେଳିକାରେ ପରିଣତ ହୋଇଯାଇଛି। ସରକାର ପରୋକ୍ଷରେ କହୁଛନ୍ତି, ତୁମକୁ ସରକାରଙ୍କ ପାଖରେ ଆତ୍ମସମର୍ପଣ କରି ସରକାରଙ୍କ ମୁଖପାତ୍ର ବନିବାକୁ ପଡ଼ିବ। ସରକାରଙ୍କ ଦୋଷ ଦୁର୍ବଳତାକୁ ନିୟମିତ ଭାବେ ପ୍ରକାଶ କରି ତଥା ଲୋକମାନଙ୍କ ପ୍ରସଙ୍ଗକୁ ଉଜାଗର କରି ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଉଥିବା ଏନ୍.ଡି. ଟିଭି ଅନୁଷ୍ଠାନକୁ ଆଦାନୀ ଗ୍ରୁପ୍ ଅଧିକାର କରିବା ପରେ ଏକଥା ସ୍ପଷ୍ଟ ହୋଇଗଲା ଯେ, ସରକାରଙ୍କୁ ସମାଲୋଚନା ଗ୍ରହଣୀୟ ନୁହେଁ। ଆଦାନୀ ଗ୍ରୁପ୍ ସହିତ କ୍ଷମତାସୀନ ପ୍ରଧାନମନ୍ତ୍ରୀଙ୍କ ସମ୍ବନ୍ଧ ସମ୍ପର୍କରେ କାହାକୁ ଅଛପା ନାହଁି। ତା’ହେଲେ କ’ଣ ଏକଥା କହିବା ଠିକ୍ ହେବ ଯେ, ସରକାରଙ୍କୁ ସମାଲୋଚନା କରୁଥିବା ଚାନେଲ୍କୁ ତିଷ୍ଠିବାକୁ ଦିଆଯିବ ନାହଁି! ତାକୁ ବରବାଦ୍ କରିଦିଆଯିବ ନ ହେଲେ ଶିଳ୍ପପତିଙ୍କ ଜରିଆରେ କିଣି ନେଇ ମୂକ କରିଦିଆଯିବ। ଏନ୍.ଡି. ଟିଭିର ପୂର୍ବତନ ସମ୍ପାଦକ ରବିଶ୍ କୁମାର ଠିକ୍ ଏଇ କଥା କହି ଚାନେଲ୍ ଛାଡ଼ି ନିଜ ମୁକ୍ତ ମତ ପୋଷଣ କରିବା ପାଇଁ ଏବେ ୟୁ-ଟ୍ୟୁବ୍ର ଆଶ୍ରା ନେଇଛନ୍ତି। କେବଳ ଏତିକି ନୁହେଁ, ସରକାର ବିରୋଧୀ ମତ ପୋଷଣ କରୁଥିବା ଅନେକ ସାମ୍ବାଦିକ ଏବେ ଜେଲରେ ଅଛନ୍ତି। ବିଚାର ବିଭାଗର ଯତ୍କିଞ୍ଚିତ୍ ପଦକ୍ଷେପ ପାଇଁ ଆମ ଦେଶରେ ସାମ୍ବାଦିକମାନେ କଥା କହିପାରୁଛନ୍ତି ନ ହେଲେ ଗଣମାଧ୍ୟମକୁ କବ୍ଜାରେ ରଖିବାକୁ କୌଣସି ରାସ୍ତା ବି ସରକାର ଛାଡ଼ୁନାହାନ୍ତି।
ଦ୍ରୁତଗତିରେ ଗଣମାଧ୍ୟମର ସ୍ବାଧୀନତା ସଙ୍କୁଚିତ ହେବାର କାରଣଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି ଗଣମାଧ୍ୟମର ମାଲିକାନା, ଗଣମାଧ୍ୟମ ସଂସ୍ଥାର ରାଜନୈତିକ ଦଳଗୁଡ଼ିକ ସହିତ ସମ୍ପର୍କ, ଗଣମାଧ୍ୟମ କ୍ଷେତ୍ରରେ ଏକାଧିକାର ଓ ସରକାରଙ୍କ ଚାପ। ସଂପ୍ରତି ଦେଖାଯାଉଛି ଯେ, ଏକାଧିକ ଗଣମାଧ୍ୟମ ସଂସ୍ଥା ଶିଳ୍ପପତିମାନଙ୍କ ନିୟନ୍ତ୍ରଣରେ ଓ ସେହି ଶିଳ୍ପପତିମାନେ ସରକାରୀ ଆଶୀର୍ବାଦ ପାଇଁ ଡହଳ ବିକଳ ହୋଇ ଗଣମାଧ୍ୟମକୁ ଗଣିକାମାଧ୍ୟମରେ ପରିଣତ କରୁଛନ୍ତି। ଆମ ଦେଶର ସିଂହଭାଗ ଗଣମାଧ୍ୟମ ଅନୁଷ୍ଠାନ ଅମ୍ବାନୀ କିମ୍ବା ଆଦାନୀଙ୍କ ଭଳି ଶିଳ୍ପପତିଙ୍କ କବଳରେ ଅଛି, ଯାହାଙ୍କ ଉଦ୍ଦେଶ୍ୟ ଗଣମାଧ୍ୟମକୁ ବ୍ୟବହାର କରି ତଥା ସରକାରଙ୍କ ଚାପ୍ଲୁସି କରି ନିଜର ପୁଞ୍ଜିକୁ ବୃଦ୍ଧି କରିବା। ଗଣମାଧ୍ୟମ ସେମାନଙ୍କ ପାଇଁ କେବଳ ଏକ ବ୍ୟବସାୟ। ଏତଦ୍ବ୍ୟତୀତ ଗଣମାଧ୍ୟମର ସ୍ବାଧୀନତା ସରକାରଙ୍କ ପାଇଁ ଆଦୌ ବି ଏକ ପ୍ରସଙ୍ଗ ନୁହେଁ। ଓଲଟି ସରକାର ହଁି ମୁଖ୍ୟତଃ ଗଣମାଧ୍ୟମର ସ୍ବାଧୀନତାକୁ ସଙ୍କୁଚିତ କରିବାରେ ପ୍ରମୁଖ ଭୂମିକା ନେଉଛନ୍ତି।
ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ମୁକ୍ତ ଗଣମାଧ୍ୟମର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ଗଣମାଧ୍ୟମ ମୁକ୍ତ ତଥା ସ୍ବାଧୀନ ନ ରହିଲେ ଗଣତନ୍ତ୍ର ଅଚିରେ ସ୍ବେଚ୍ଛାଚାରିତାରେ ପରିଣତ ହୋଇଯିବ। ଗଣମାଧ୍ୟମର ସ୍ବାଧୀନତାର ଅର୍ଥ ଗଣମାଧ୍ୟମ କ୍ଷେତ୍ରରେ ରାଷ୍ଟ୍ରର ଅତି କମ୍ ବା ଆଦୌ ବି ହସ୍ତକ୍ଷେପ ରହିବ ନାହଁି। କିନ୍ତୁ ଆମ ଦେଶରେ ଠିକ୍ ଏହାର ଓଲଟା ହେଉଛି। ଛପା ଓ ବୈଦ୍ୟୁତିକ ଗଣମାଧ୍ୟମ ସହିତ ସଂପ୍ରତି ସରକାର ସାମାଜିକ ଗଣମାଧ୍ୟମ ଓ ଓ.ଟି.ଟି. ପ୍ଲାଟ୍ଫର୍ମଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଆଇନ୍ ଆଣିବାକୁ ଯାଉଛନ୍ତି; ଯାହା ଶେଷ ନିଃଶ୍ୱାସ ମାରୁଥିବା ଗଣମାଧ୍ୟମର କବରରେ ଶେଷ କଣ୍ଟା ପିଟିବା ପରି ହେବ। ଏହା ଭୁଲିଯିବା ଉଚିତ ନୁହେଁ ଯେ, ଗଣମାଧ୍ୟମର ସ୍ବାଧୀନତା ଦ୍ୱାରା ହଁି ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା ନିଶ୍ଚିତ ହୋଇପାରିବ। ନଚେତ୍ ବିକାଶର ଧାରାରୁ ଅନେକ ଦୂରକୁ ସାଧାରଣ ଜନତା ଛିଟିକି ପଡ଼ିବେ। କେବଳ ଗଣମାଧ୍ୟମର ସ୍ବାଧୀନତା ଦ୍ୱାରା ହଁି ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା ହୋଇପାରିବ ଓ ଏହା ସମାଜକୁ ଏକ ସକାରାତ୍ମକ ଦିଗରେ ନେବାରେ ସକ୍ଷମ ହେବ। ଆମ ଦେଶର ସମ୍ବିଧାନର ଧାରା ୧୯-୧-ଏ.ରେ ସ୍ବାଧୀନ ମତପୋଷଣକୁ ମାନ୍ୟତା ଦିଆଯାଇଛି, ଯାହା ଅଧୀନରେ ଗଣମାଧ୍ୟମର ସ୍ବାଧୀନତା ତଥା ମୁକ୍ତ ମତ ପୋଷଣ ବି ଆସୁଛି। ଜାତିସଂଘ ଘୋଷଣା କରିଥିବା ସଷ୍ଟେନେବଲ୍ ଡେଭଲପ୍ମେଣ୍ଟ ଗୋଲ୍-୨୦୩୦ରେ ସାମ୍ବାଦିକମାନଙ୍କ ସୁରକ୍ଷା ବି ଏକ ଲକ୍ଷ୍ୟ ଅଛି; ଯେଉଁଥିରେ ଭାରତ ସରକାର ସ୍ବାକ୍ଷର କରିଛନ୍ତି। କିନ୍ତୁ ଏତେ ସବୁ ପରେ ଆମ ଦେଶରେ ସଂପ୍ରତି ଗଣମାଧ୍ୟମର ସ୍ବାଧୀନତା ଅତ୍ୟନ୍ତ ସଙ୍କଟଜନକ ସ୍ଥିତିରେ ଅଛି, ଯାହା ଭାରତର ଗଣତନ୍ତ୍ରକୁ ପ୍ରତିଦିନ ଦୁର୍ବଳ କରିଚାଲୁଛି।
ବିଚିତ୍ର ବିଶ୍ୱାଳ
ଭିରଙ୍ଗ, ତିରଣ, ଜଗତ୍ସିଂହପୁର,
ମୋ-୯୪୩୮୪୬୮୪୭୪
ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ସରକାରୀ ଉଦ୍ୟମ ବଢିଛି
ଭାରତରେ ଏକ ସ୍ବାଧୀନ ଗଣମାଧ୍ୟମ ପାଇଁ ପରିସ୍ଥିତି ଅନୁକୂଳ ନୁହେଁ। ପୃଥିବୀରେ ପ୍ରତିବର୍ଷ ପ୍ରକାଶ ପାଉଥିବା ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତ ଲଗାତର ଭାବେ ତଳେ ରହୁଛି। ଏଠାରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ବିଶେଷକରି ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ଉଦ୍ୟମ ବଢିଛି। ସରକାରଙ୍କ ଭୁଲ୍ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି, ଭୁଲ୍କୁ ପର୍ଦ୍ଦାଫାଶ୍ କରୁଛନ୍ତି ବା ସରକାରଙ୍କ ନୀତି ବିରୋଧରେ ଭିନ୍ନ ମତ ରଖୁଥିବା ଗଣମାଧ୍ୟମ ଉପରେ ଅତ୍ୟାଚାର ହେଉଛି। ସେମାନଙ୍କ ଉପରେ ମିଛ କେସ୍ କରାଯାଉଛି ଏବଂ ତାଙ୍କୁ ଚାପିବାକୁ ଉଦ୍ୟମ ହେଉଛି। କେବଳ ସୋସିଆଲ୍ ମିଡିଆ କାରଣରୁ କେତେକ ଖବର ବା ତଥ୍ୟ ଲୋକଲୋଚନକୁ ଆସୁଛି। ଜାତୀୟ ସ୍ତରରେ ବଡ଼ ମିଡିଆଠାରୁ ନିର୍ଭୀକ ଏବଂ ସତ୍ୟ ଖବର ଲୋକମାନେ ଆଶା କରି ପାରୁ ନାହାନ୍ତି। କେବଳ ସ୍ଥାନୀୟ ଗଣମାଧ୍ୟମ କିଛି ଏହା କରୁଛି।
ଭାଲଚନ୍ଦ୍ର ଷଡ଼ଙ୍ଗୀ, ସ୍ତମ୍ଭକାର
ପ୍ରେସ୍ର କର୍ପୋରେଟାଇଜେଶନ ହେଉଛି
ପ୍ରେସ୍ର ସ୍ବାଧୀନତା ଏବେ ଆପୋସ ବୁଝାମଣାରେ ଚାଲିଛି। ଏହାର କଣ୍ଠରୋଧ ହେବାରେ ଲାଗିଛି, ଯାହାକି ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଏବେ ପ୍ରେସ ବା ଗଣମାଧ୍ୟମର କର୍ପୋରେଟାଇଜେଶନ ହେଉଛି। ସେମାନେ ଗଣମାଧ୍ୟମକୁ ନିଜ ହାତମୁଠାରେ ରଖି ନିଜର ଫାଇଦା ହାସଲ କରୁଛନ୍ତି। ଗଣମାଧ୍ୟମ ମଧ୍ୟ ସତକଥା ଲେଖିବାକୁ ବା କହିବାକୁ ସାହସ କରୁନାହିଁ। କହିଲେ ବିପଦ, ନ କହିଲେ ଠିକ୍ ଅଛି ଏହି ନ୍ୟାୟରେ ଚାଲିଛି। ଫଳରେ ସାଧାରଣ ଲୋକଙ୍କ ସ୍ବାର୍ଥରେ ବ୍ୟାଘାତ ଘଟୁଛି।
ପ୍ରଣତି ମହାନ୍ତି, ପୂର୍ବତନ ବାର୍ତ୍ତା ସମ୍ପାଦକ,
ଆକାଶବାଣୀ କଟକ
ସରକାର ଯାହା କହୁଛନ୍ତି ତାହା ପ୍ରକାଶିତ ହେଉଛି
ପ୍ରେସ୍ ସ୍ବାଧୀନତା କିଛି ନାହିଁ। କାରଣ ସରକାର ଯାହା କହୁଛନ୍ତି, ତାହାହିଁ ଖବରକାଗଜ ଏବଂ ଟେଲିଭିଜନରେ ପ୍ରସାରଣ ହେଉଛି। ସାମ୍ବାଦିକତାର ନୀତି ହେଉଛି ସରକାରଙ୍କ ଶତ୍ରୁ ହେବନାହିଁ କି କାହାର ବନ୍ଧୁ ହେବନାହିଁ। ଗଣମାଧ୍ୟମର ମୂଳ ନିୟମ ହେଉଛି ସତ୍ୟ ଖବର ଲୋକଙ୍କ ପାଖରେ ପହଞ୍ଚାଇବା। ମାତ୍ର ଏହି ନିୟମକୁ ଅଣଦେଖା କରାଯାଉଛି। ଏହାଦ୍ୱାରା ସମାଜର ବହୁତ କିଛି ଘଟଣା ପରଦା ପଛରେ ଲୁଚି ଯାଉଛି ଏବଂ ଜନସାଧାରଣ ଜାଣି ପାରୁନାହାନ୍ତି। ଉଚିତ ଖବର ଲୋକଙ୍କ ପାଖରେ ପହଞ୍ଚତ୍ବା ଦ୍ୱାରା ସମାଜ ପାଖରେ ସକାରାତ୍ମକ ନିର୍ଯାସ ବାହାରେ। ଏହାହିଁ ସମ୍ପୃକ୍ତ କମ୍ୟୁନିଟି, ରାଜ୍ୟ ବା ଦେଶକୁ ଆଗକୁ ନେଇଥାଏ।
ରାଜାରାମ ଶତପଥୀ, ବରିଷ୍ଠ ସାମ୍ବାଦିକ
ପ୍ରେସ୍ ସ୍ବାଧୀନତା ସ୍ବେଚ୍ଛାଚାରିତାରେ ପରିଣତ ନ ହେବା ଆବଶ୍ୟକ
ବର୍ତ୍ତମାନ ପ୍ରେସ୍ ଫ୍ରିଡମ୍ ବୋଲି କିଛି ନାହିଁ। ଅପରପକ୍ଷେ ପ୍ରେସ୍ ସ୍ବାଧୀନତା ପ୍ରେସ୍ ସ୍ବେଚ୍ଛାଚାରିତାରେ ପରିଣତ ନ ହେବା ଆବଶ୍ୟକ। ପୂର୍ବରୁ କେବଳ ମୁଦ୍ରଣ ଗଣମାଧ୍ୟମ ଥିଲା। ଏବେ ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମ ଚାଲିଛି। ଏହାପରେ ଲୋକମାନେ ଆଗରୁ ଯେପରି ଖବରକାଗଜ ପାଠ କରୁଥିଲେ ତାହା କରୁନାହାନ୍ତି। ଟିଭି ଏବଂ ଏବେ ସାମାଜିକ ଗଣମାଧ୍ୟମକୁ ଲୋକମାନେ ବେଶି ଦେଖୁଛନ୍ତି। ମାତ୍ର ଅନେକ ସମୟରେ ଦେଖାଯାଉଛି ଯେ, ସାମାଜିକ ଗଣମାଧ୍ୟମ ଲୋକଙ୍କ ଦୃଷ୍ଟି ନିଜ ଆଡକୁ ନେବା ପାଇଁ ମନଇଚ୍ଛା ଏପରିକି ଭୁଲ୍ ଖବର ପ୍ରସାରଣ କରୁଛନ୍ତି, ଯାହାକି ଲୋକଙ୍କୁ ମିସ୍ଗାଇଡ୍ କରୁଛି। ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାକୁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ ରହିଛି। ଅପରପକ୍ଷେ ଡିଜିଟାଲ୍ ମିଡିଆକୁ ଆୟତ୍ତ କରିବା ପାଇଁ କୌଣସି ଆଇନ୍ ହୋଇନାହିଁ। ଏଥିପାଇଁ ଡିଜିଟାଲ୍ ମିଡିଆ ଏଥିକ୍ସ୍ କୋଡସ୍ ରୁଲ୍ସ-୨୦୨୧ ନାମରେ ଏକ ଆଇନ୍ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି। ଅପରପକ୍ଷେ ଖବର ସଂଗ୍ରହ ସମୟରେ ସାମ୍ବାଦିକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗୁରୁ କଲ୍ୟାଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଓ ସାହିତି୍ୟକ