ଭୁବନେଶ୍ୱର,୯।୧୦(ବ୍ୟୁରୋ):ଓଡ଼ିଶାର ପ୍ରଥା, ପରମ୍ପରା, ସଂସ୍କୃତିକୁ ନେଇ ନୃତ୍ୟ ମାଧ୍ୟମରେ ପାରମ୍ପରିକ ଢଙ୍ଗରେ ପାଳନ ହୋଇଛି କୁଆଁର ପୂନେଇଁ ଉତ୍ସବ। ଶନିବାର ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଏହି ଉତ୍ସବ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶୀ ନୃତ୍ୟ ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ ଓ ସମ୍ମାନିତ ଅତିଥି ଭାବେ ମର୍ଦ୍ଦଳ ବାଦକ ନିରଞ୍ଜନ ପାତ୍ର ଯୋଗ ଦେଇଥିଲେ। ସାରେ ଓଡ଼ିଆ ପରମ୍ପରା ଅନୁସାରେ ଚଉଁରା ମୂଳେ ଦୀପ ଜାଳି ଜହ୍ନକୁ ଖଇ ଆଞ୍ଜୁଳା ଦିଆଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଶୀ ନୃତ୍ୟ ମଙ୍ଗଳା ଚରଣରେ ଶିବ ସ୍ତୁତି ପରିବେଷିତ ହୋଇଥିଲା। ପରେ କୁଆଁର ପୁନେଇଁ ଜହ୍ନ ଗୋ.. ପାରମ୍ପରିକ ଗୀତରେ ନୃତ୍ୟଶିଳ୍ପୀ ଗାୟତ୍ରୀ ରଣବୀର ଓ ମନୋଜ ପ୍ରଧାନଙ୍କ ସୁନ୍ଦର ବେଶ ପରିପାଟୀ ସହ ଓଡ଼ିଶାର ପାରମ୍ପରିକ ନୃତ୍ୟ ସଙ୍ଗୀତ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ଲୋକ ନୃତ୍ୟ, ପଲ୍ଲୀ ନୃତ୍ୟ ଓ ଆଦିବାସୀ ନୃତ୍ୟ। ଶ୍ରଦ୍ଧାଞ୍ଜଳି ରାଉତ, ନୀଳାଦ୍ରି ମହାନ୍ତି, କୁନୁ ମହାରଣା, ମେଘନା ମହାନ୍ତି, ଭିଦିଶା ବସୁମଲ୍ଲିକ, ଭାନୁପ୍ରିୟା ଦାସ, ରୋହିଣୀ ସାମଲ, ଦେବଯାନୀ ଦାସ, ଅର୍ଚ୍ଚନା ମୁଦୁଲି ଏବଂ ସୌରଭ ମହାନ୍ତିଙ୍କ ଲୋକନୃତ୍ୟରେ ଦର୍ଶକ ବେଶ୍ ଆକର୍ଷିତ ହୋଇଥିଲେ। ବିଶ୍ୱଜିତ ବଳିୟାରସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁଶ୍ରୀ ଦୁର୍ଗାଚରଣ ରଣବୀର, କର୍ମକର୍ତ୍ତା ଧୀରେନ୍ଦ୍ର ପଟ୍ଟନାୟକ, ସତ୍ୟଜିତ ମହାନ୍ତି, ଅସିତ ବସୁମଲ୍ଲିକ, ଅର୍ଜୁନ ମୁଦୁଲି, ସୁରେଶ ମିଶ୍ର, ହରିହର ପଣ୍ଡା, ଖଗେଶ୍ୱର ଜୟପୁରିଆ, ଅମଲେଶ ଦାସ, ଅନନ୍ଦ ପାତ୍ର, ଅଜୟ ମହାପାତ୍ର, ଶେଷଦେବ ସାମଲ, ସୁଧାଂଶୁ ଶେଖର ସାହୁ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଭୂମିକା ନିର୍ବାହ କରିଥିଲେ।