Categories: Uncategorized

ପ୍ରସ୍ତୁତ ହେବ ଚିଠା ଯୋଜନା

ଭୁବନେଶ୍ୱର, ୩୦।୧୦(ବ୍ୟୁରୋ): ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମୋଟର ଚାଳକ ଏବଂ ମୋଟର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବିଭିନ୍ନ ଘରୋଇ ଓ ଅଣସଂଗଠିତ ପରିବହନ ସଂସ୍ଥା ପ୍ରଭୃତିରେ କାମ କରୁଥିବା ଚାଳକ ଓ କର୍ମଚାରୀମାନଙ୍କର ସଂଖ୍ୟା ଆକଳନ କରାଯିବ। ମୋଟର କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ପ୍ରଚଳିତ ପୁରୁଣା ନିୟାମକରେ ଆବଶ୍ୟକ ସଂଶୋଧନ ଆଣିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଆଇନ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ମିଳିତ ଭାବେ ପ୍ରସ୍ତାବ ସହ ସମ୍ପୃକ୍ତ ଆଇନଗତ, ପ୍ରଶାସନିକ ଏବଂ ଆର୍ଥିକ ଦିଗକୁ ଅନୁଧ୍ୟାନ କରି ଆସନ୍ତା ଏକ ସପ୍ତାହ ମଧ୍ୟରେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ଶନିବାର ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଆୟୋଜିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏ ସମ୍ବନ୍ଧିତ ଆର୍ଥିକ ଓ ଆଇନଗତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ବୈଠକରେ ଉପସ୍ଥିତ ପ୍ରସ୍ତାବଗୁଡ଼ିକୁ ବିଚାରକରି ମୋଟର କର୍ମଚାରୀ କଲ୍ୟାଣ ସାମଗ୍ରିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପରିବହନ ଆୟୁକ୍ତ ଅରୁଣ ବୋଥ୍ରାଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ଶ୍ରମ ଓ କର୍ମଚାରୀ ରାଜ୍ୟ-ବୀମା ବିଭାଗ ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଶ୍ରମ ଆୟୁକ୍ତ ଡାକ୍ତର ଥିରୁମାଲା ନାୟକ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।