ଗୁଗଲ୍‌ ସର୍ଚ୍ଚ କରି ଡାକ୍ତର ଦେଲେ ଇଞ୍ଜେକ୍‌ଶନ, ଚାଲିଗଲା ଶିଶୁର ଜୀବନ

ନବରଙ୍ଗପୁର/ଡାବୁଗାଁ,୩୧ା୩: ନବରଙ୍ଗପୁର ଜିଲା ଡାବୁଗାଁ ଡାକ୍ତରଖାନାରେ ଶିଶୁ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ଦେଖାଦେଇଛି। ଡାକ୍ତର ଗୁଗଲ୍‌ରୁ ସର୍ଚ୍ଚକରି ଇଞ୍ଜେକ୍‌ଶନ ଦେଇଥିବା ମୃତ ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାକୁ ନେଇ ବୁଧବାର ମଧ୍ୟାହ୍ନରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ନବଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ନୀଳାଦ୍ରିଗୁଡ଼ା ଗାଁର ପ୍ରଶାନ୍ତ ବିଷୋୟୀ ସ୍ତ୍ରୀ ଅମୃତା ଓ ୬ ମାସର ଶିଶୁପୁତ୍ର ଶ୍ରୀୟାଂଶୁଙ୍କୁ ନେଇ ଡାବୁଗାଁ ବ୍ଲକ ବଡଓଲମାସ୍ଥିତ ଶ୍ୱଶୁରଘରକୁ ଆସିଥିଲେ। ଥଣ୍ଡା କାଶ ହେଉଥିବାରୁ ସେମାନେ ବୁଧବାର ଶ୍ରୀୟାଂଶୁଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଡ୍ୟୁଟିରେ ଥିବା ଡାକ୍ତର ସନ୍‌ଲପ ପଟ୍ଟନାୟକ ଶ୍ରୀୟାଂଶୁଙ୍କୁ ଦେଖିଥିଲେ। ଏହାପରେ ସେ ଗୁଗଲ୍‌ ସର୍ଚ୍ଚ କରି ସେ ଏକ ଇଞ୍ଜେକ୍‌ଶନ ଲେଖିଥିଲେ। ଇଞ୍ଜେକ୍‌ଶନ ନେବାର ୧୫ ମିନିଟ୍‌ ମଧ୍ୟରେ ଶ୍ରୀୟାଂଶୁ ଆଖିବୁଜି ଦେଇଥିଲା ବୋଲି ପ୍ରଶାନ୍ତ ଅଭିଯୋଗ କରିଛନ୍ତି। ଏହାପରେ ଶିଶୁପୁତ୍ରର ପରିବାର ଓ ସମ୍ପର୍କୀୟ ଲୋକେ ଡାକ୍ତରଖାନାରେ ହୋହାଲ୍ଲା କରିଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଏ ନେଇ ଡାକ୍ତର ସନ୍‌ଲପ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜଙ୍କୁ ପଚାରନ୍ତୁ ବୋଲି ସେ କହିଥିଲେ। ଡାବୁଗାଁ ସ୍ବାସ୍ଥ୍ୟକେନ୍ଦ୍ର ଇନ୍‌ଚାର୍ଜ ଡାକ୍ତର ଶୁଭାଶିଷ ସାହୁଙ୍କୁ ପଚାରିବାରୁ ସେ ଡାକ୍ତରଖାନାରେ ନ ଥିଲେ। ଘଟଣା ସମ୍ପର୍କରେ ଅବଗତ ନ ଥିବା ସେ କହିଛନ୍ତି। ଜିଲାପାଳ ଅଜିତ୍‌ କୁମାର ମିଶ୍ରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସିଡିଏମ୍‌ଓଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share