ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ ଯନ୍ତ୍ରୀ

ଯାଜପୁର ଟାଉନ,(ଡି.ଏନ୍‌.ଏ.)/କଟକ ଅଫିସ,୪ା୮: ଭିଜିଲାନ ହାତରେ ଧରାପଡିଛନ୍ତି ଯାଜପୁର ଟାଉନସ୍ଥିତ ଡ୍ରେନେଜ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର। ବୁଧବାର ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି।

ସଦର ବ୍ଲକ ଅଧୀନ ଅବଦଲପୁରର ଦେବାଶିଷ ପଣ୍ଡା ତାଙ୍କର ଏକ ବୋଲେରୋ ଗାଡ଼ି ଏହି ଡିଭିଜନ ଅଫିସରେ ଭଡ଼ାରେ ଲାଗାଇଛନ୍ତି। ତେଣୁ ସେ ୩ ମାସର ଭଡ଼ା ବାବଦକୁ ୯୩ ହଜାର ଟଙ୍କା କାର୍ଯ୍ୟାଳୟରୁ ପାଇବାର ଥିଲା। ଦେବାଶିଷଙ୍କ ଫାଇଲ୍‌ଟି ଜୁଲାଇ ୧୫ରୁ ଅଧୀକ୍ଷଣ ଯନ୍ତ୍ରୀ ମହାପାତ୍ରଙ୍କ ଟେବୁଲକୁ ଆସିଥିଲେ ମଧ୍ୟ ୨ ସପ୍ତାହ ହେଲା ପଡ଼ିରହିଛି। ଫାଇଲ୍‌ ପାସ୍‌ କରିବା ଲାଗି ମହାପାତ୍ର ୧୦ ହଜାର ଟଙ୍କା ହାତ ଖର୍ଚ୍ଚ ମାଗିଥିଲେ। ଏ ସମ୍ପର୍କରେ ଦେବାଶିଷ କଟକ ସ୍ଥିତ ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ବୁଧବାର ଦେବାଶଷି ୧୦ ହଜାର ଟଙ୍କା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା। ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିବା ସହିତ ଦଫା ୭ପିସି ଆକ୍ଟ ଅନୁସାରେ ଏକ ମାମଲା ନଂ.୧୧ା୨୧ ରୁଜୁ କରିଛି।

Share