ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି କି ବିବାହ ଦିନ ବି ବର ଓ୍ବାର୍କ ଫ୍ରମ୍‌ ହୋମ କାମ କରୁଥିବା କଥା। ଯଦି ବର ଏଭଳି କରୁଛନ୍ତି ତେବେ ଭାବନ୍ତୁ ତାଙ୍କ ଉପରେ କାମର କେତେ ଚାପ ରହିଥିବ। ଇତିମଧ୍ୟରେ କୋଲକାତାରୁ ଏକ ଏଭଳି ଫଟୋ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନଭେମ୍ବର ୨୫ରେ କୋଲକାତା ସ୍ଥିତ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବର ନିଜେ ବିବାହ ମଣ୍ଡପରେ ବସି ଲାପଟପରେ କାମ କରୁଥିବାର ଦେଖିବାକୁ ମିଳିଛି। ବର କାମ କରୁଥିବା ବେଳେ ତାଙ୍କ ନିକଟରେ ଆଉ ଦୁଇଜଣ ବ୍ୟକ୍ତି ବିବାହ କାର୍ଯ୍ୟ କରୁଥିବା ନଜର ଆସିଛନ୍ତି। ଏହି ସମୟର ଫଟୋକୁ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଛି। ଏଥିସହ କ୍ୟାପସନ୍‌ରେ ଲେଖାଯାଇଛି, ଯେତେବେଳେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଆପଣଙ୍କୁ ଏକ ଭିନ୍ନ ସ୍ତରକୁ ନେଇଯାଏ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୋଟିଏ ପଟେ ଯେଉଁଠାରେ ଲୋକମାନେ ଏହି ଫଟୋକୁ ଦେଖି ହସୁଛନ୍ତି ଏବଂ ପରିହାସ କରୁଛନ୍ତି। ଅନ୍ୟପଟେ କିଛି ଲୋକ ଡବ୍ଲ୍ୟୁଏଫ୍‌ଏଚ୍‌ ସଂସ୍କୃତିକୁ ଘୃଣା କରିଛନ୍ତି। ଭାଇରାଲ ହୋଇଥିବା ଏହି ଫଟୋକୁ ଏପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲାଇକ୍‌ ଏବଂ ଶହ ଶହ ପ୍ରତିକ୍ରିୟା ମିଳିସାରିଛି।

 

Share