ଥାନା ଭିତରେ ଦୁଇ ଗୋଷ୍ଠୀ ମୁହାଁମୁହିଁ: ୨ ଗୁରୁତର

ବାଲେଶ୍ୱର ଅଫିସ, ୬।୪: ବାଲେଶ୍ୱର ଜିଲା ରେମୁଣା ଥାନା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଥାନା ଭଙ୍ଗାରୁଜା ସହ ଗୋଟିଏ ଗୋଷ୍ଠୀର ୨ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ରାତି ତମାମ ଥାନାରେ ଉତ୍ତେଜନା ଲାଗି ରହିଥିଲା। ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଛି।
ପୋଲିସ ସୂଚନାନୁଯାୟୀ, ରେମୁଣା ଅଞ୍ଚଳର ୨ ଗୋଷ୍ଠୀଙ୍କ ପୂର୍ବ ଶତ୍ରୁତାକୁ ନେଇ ରାତି ପ୍ରାୟ ୧୧ଟାରେ ଗୋଟିଏ ଗୋଷ୍ଠୀ ଥାନାରେ ପହଞ୍ଚିଥିଲା। ପରେ ଅନ୍ୟ ଏକ ଗୋଷ୍ଠୀ ମଧ୍ୟ ଥାନାରେ ପହଞ୍ଚିଥିଲା। ଥାନା ଭିତରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ପ୍ରଥମେ ଥାନାରେ ପହଞ୍ଚିଥିବା ଗୋଷ୍ଠୀକୁ ଅନ୍ୟ ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ପୋଲିସ ତାଙ୍କୁ ଆୟତ୍ତ କରୁଥିବା ବେଳେ କିଛି ଉତ୍ତ୍ୟକ୍ତ ଲୋକେ ଥାନା ଭଙ୍ଗାରୁଜା କରିବା ସହ କଟୁରିରେ ଆକ୍ରମଣ କରିଥିଲେ। ଫଳରେ ଦୁଇଜଣ ଗୁରୁତର ହୋଇଥିଲେ। ଗୁରୁତର ଦ୍ୱୟଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହୋଇଥିବା ଗୋଷ୍ଠୀଙ୍କ ମଧ୍ୟରେ ଏବେ ବି ଉତ୍ତେଜନା ଲାଗି ରହିଥିବା ଜଣାପଡିଛି। ଉତ୍ତେଜନାକୁ ଲକ୍ଷ୍ୟକରି ୨ ପ୍ଲାଟୁନ ଫୋର୍ସ ମୁତାୟନ କରାଯାଇଛି। ଆହତ ବ୍ୟକ୍ତିମାନେ ହେଲେ ମାଧିପୁର ଅଞ୍ଚଳର ରଘୁନାଥ ସାହୁ ଓ ପ୍ରମିତା ସାହୁ।

Share