Categories: ଖେଳ

ଅଷ୍ଟ୍ରେଲିଆ ପାଇଁ ବଢ଼ିଲା ସଙ୍କଟ

ମେଲବୋର୍ନ,୨୯ା୧୦(ପି.ଟି.): ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଦୁଇଟି ମ୍ୟାଚ୍‌ ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ଓ ଆୟର୍ଲାଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍‌ ବାତିଲ ହୋଇଯାଇଛି। ଉଭୟ ମ୍ୟାଚ୍‌ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର ଥିଲା। ତେବେ ନିରନ୍ତର ବର୍ଷା କାରଣରୁ ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇ ନ ଥିଲା। ଏହାସହିତ ଆୟୋଜକ ଅଷ୍ଟ୍ରେଲିଆର ସେମିଫାଇନାଲ ରାସ୍ତା ମଧ୍ୟ ସଙ୍କୀର୍ଣ୍ଣ ହେବାରେ ଲାଗିଛି। ପ୍ରତି ଗ୍ରୁପ୍‌ରୁ ଦୁଇଟି ଦଳ ସେମିଫାଇନାଲ ମୁକାବିଲା ଖେଳିବେ। ତେବେ ବର୍ଷା ଯୋଗୁ ଶୁକ୍ରବାର ମୁକାବିଲା ଧୋଇଯାଇଥିବା ବେଳେ ଏହା ଅଷ୍ଟ୍ରେଲିଆ ପାଇଁ ସଙ୍କଟ ବଢ଼ାଇଛି। ଅଦ୍ୟାବଧି ୩ ମ୍ୟାଚ୍‌ ଖେଳିସାରିଥିବା ଅଷ୍ଟ୍ରେଲିଆ ମାତ୍ର ଗୋଟିଏ ବିଜୟ ସହିତ ପଏଣ୍ଟ ଟେବୁଲର ୪ ନମ୍ବର ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟ ସମାନ ସଂଖ୍ୟକ ବିଜୟ ହାସଲ କରିଛନ୍ତି। ଏହାସହିତ ନେଟ୍‌ ରନ୍‌ରେଟ୍‌ ଆଧାରରେ ଉଭୟ ଦଳ ଅଷ୍ଟ୍ରେଲିଆ ଉପରେ ରହିଛନ୍ତି। ସେହିପରି ଆଫଗାନିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଥିବା ମ୍ୟାଚ୍‌ ବାତିଲ ହେବା କାରଣରୁ ଉଭୟ ଦଳ ନିରାଶ ହୋଇଛନ୍ତି। ଆଫଗାନିସ୍ତାନ ୩ ମ୍ୟାଚ୍‌ ଖେଳିଥିବା ବେଳେ ଏଥିରୁ ୨ଟି ମ୍ୟାଚ୍‌ ବର୍ଷାରେ ବାତିଲ ହୋଇଯାଇଛି। ଶନିବାର ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ପରବର୍ତ୍ତୀ ମ୍ୟାଚ୍‌ ଖେଳାଯିବ।

Share