ପୋଲିସ ଗାଡ଼ି ଧକ୍କାରେ ଜିଆର୍‌ଏସ୍‌ଙ୍କ ଜୀବନ ଗଲା

ମାଲକାନଗିରି,୮।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନିକଟରେ ପୋଲିସ ଗାଡ଼ି ଧକ୍କାରେ ମଙ୍ଗଳବାର ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ନାୟକଗୁଡା ଗ୍ରାମରେ କାର୍ଯ୍ୟରତ ଜିଆର୍‌ଏସ୍‌ ବାଲାରାଜୁ ସାହୁ।
ପ୍ରକାଶ ଯେ, ମାଥିଲି ଥାନାର କେତେଜଣ ଅଧିକାରୀ ମାଲକାନଗିରି ଅଭିମୁଖେ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସିଥିବା ବାଲାରାଜୁଙ୍କ ମୋଟର ସାଇକେଲକୁ ପାଙ୍ଗାମ ନିକଟରେ ପୋଲିସ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଲାରାଜୁଙ୍କର ମୃତ୍ୟୁ ଘଟିଛି। ଏଥିରେ ୩ଜଣ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ ଏସ୍‌ଆଇ ବେହେରା, କନଷ୍ଟେବଲ ରଘୁ ମାଝୀ ଓ ନରି ଭତ୍ରା। ଉତ୍ତ୍ୟକ୍ତ ଲୋକେ ଉକ୍ତ ରାସ୍ତାକୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।