ଡ. ବିଜୟ କେତନ ପଟ୍ଟନାୟକ
ବିଡ଼ମ୍ବନାର ବିଷୟ ଯେ, ଭାରତରେ ତଥା ଓଡ଼ିଶାରେ ଦିନକୁ ଦିନ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ହାତୀ, ମଣିଷ ମୁହଁାମୁହିଁ ହେବାର ଅବକାଶ ବୃଦ୍ଧି ପାଉଛି। ହାତୀମାନେ ଆବଶ୍ୟକ ପରିମାଣରେ ଖାଦ୍ୟ, ପାନୀୟ ଅଭାବରୁ ପ୍ରାକୃତିକ ବାସସ୍ଥଳୀରୁ ବାହାରି ଆସି ଜନବସତିରେ ପ୍ରବେଶ କରୁଛନ୍ତି। ବେଳେ ବେଳେ ହାତୀ ଆକ୍ରମଣରେ ମଣିଷ ମୃତାହତ ହେଉଛନ୍ତି। ମଣିଷ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ହାତୀପଲଙ୍କୁ ପାଲଟା ଆକ୍ରମଣ କରୁଛି। ପ୍ରତିବର୍ଷ ଉଭୟ ପକ୍ଷର ମୃତାହତଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୧୭-୧୮ରୁ ୨୦୨୧-୨୨ ମଧ୍ୟରେ ଗତ ୫ ବର୍ଷରେ ଉଭୟ ପ୍ରାକୃତିକ ଓ ଅପ୍ରାକୃତିକ କାରଣରୁ ଓଡ଼ିଶାରେ ହାତୀମାନଙ୍କ ମୃତ୍ୟୁ ସଂଖ୍ୟା ୪୧୬। ଅର୍ଥାତ୍ ପ୍ରତିବର୍ଷ ପାଖାପାଖି ୮୩ ହାତୀ ମୃତ୍ୟୁବରଣ କରୁଛନ୍ତି। ତନ୍ମଧ୍ୟରୁ ଅପ୍ରାକୃତିକ କାରଣରୁ ଯଥା ଶିକାରୀ ଦ୍ୱାରା ଗୁଳିବିଦ୍ଧ ହୋଇ ବା ଫାଶରେ ପଡ଼ି, ବିଷ ପ୍ରୟୋଗକରି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି, ରେଳ ବା ରୋଡ୍ ଆକ୍ସିଡେଣ୍ଟ ଅଥବା ଉଚ୍ଚ ସ୍ଥାନରୁ ଖସି ପଡ଼ି ମୃତ୍ୟୁବରଣ କରିଥିବା ହାତୀଙ୍କ ସଂଖ୍ୟା ୧୮୩। ଅର୍ଥାତ୍ ୪୪ ପ୍ରତିଶତ। ଅନ୍ୟପକ୍ଷରେ ହାତୀ ଆକ୍ରମଣରେ ଏହି ୫ବର୍ଷରେ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ମନୁଷ୍ୟଙ୍କ ସଂଖ୍ୟା ଯଥାକ୍ରମେ ୫୫୮ ଓ ୩୯୨। ଅର୍ଥାତ୍ ବର୍ଷକୁ ହାରାହାରି ୧୧୦ରୁ ଅଧିକ ବ୍ୟକ୍ତି ହାତୀ ଆକ୍ରମଣରେ ମରୁଛନ୍ତି। ଉପରୋକ୍ତ ତଥ୍ୟରୁ ପ୍ରତୀତ ହେଉଛି ଯେ, ହାତୀ ଓ ମଣିଷଙ୍କ ସଂଘର୍ଷରେ ମଣିଷମାନେ ହିଁ ହାତୀ ତୁଳନାରେ ଅଧିକ ମୃତାହତ ହେଉଛନ୍ତି।
କୁହାଯାଏ, କିଛି ଲୋଲୁପ ଦନ୍ତାହାତୀ ଶିକାରୀଙ୍କୁ ଛାଡ଼ିଦେଲେ ବୟସ୍କ ହାତୀର ପ୍ରାକୃତିକ ଶତ୍ରୁ କେହି ନାହାନ୍ତି। ତେଣୁ ପ୍ରତିବର୍ଷ ଏତେ ସଂଖ୍ୟକ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ପାଇଁ ମନୁଷ୍ୟ ଓ ତା’ର ପ୍ରତିକ୍ରିୟାଶୀଳ ମନୋଭାବ ହିଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଦାୟୀ। ଜଙ୍ଗଲରେ ଅବାଧ ଗଛକଟା, ଗୋଚାରଣ ଏବଂ ବାରମ୍ବାର ନିଅଁା ଲାଗିବା କାରଣରୁ ହାତୀ ଉପଯୋଗୀ ଖାଦ୍ୟ କମିଯାଉଛି। ଖାଦ୍ୟ, ପାନୀୟ ଏବଂ ସୁରକ୍ଷିତ ତଥା ଉପଯୁକ୍ତ ବାସସ୍ଥଳୀ ଅନ୍ବେଷଣରେ ହାତୀମାନେ ଅନ୍ୟ ଜଙ୍ଗଲ ସନ୍ଧାନରେ ବାହାରି ପଡ଼ନ୍ତି। ହାତୀ ଚଲାପଥ ବିଭିନ୍ନ କାରଣରୁ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବାରୁ ଯିବା ଅବସରରେ ସେମାନଙ୍କୁ ଅନେକ ଗଁା ଗଣ୍ଡା, ବିଲବାଡ଼ି ଓ ଜନପଦ ଅତିକ୍ରମ କରିବାକୁ ପଡ଼ିଥାଏ। ବାଟରେ ପଡୁଥବା ବିଲବାଡ଼ିରୁ ଧାନ, ଆଖୁ, କଦଳୀ ଆଦି ଫସଲ ଖାଇ ଯେତିକି ନଷ୍ଟ କରନ୍ତି, ତା’ଠାରୁ ଅଧିକ ପାଦରେ ଦଳିଚକଟି ନଷ୍ଟ କରନ୍ତି। ଅନେକ ଗରିବ ବନବାସୀ ପରିବାର ଜଙ୍ଗଲ ମଝିରେ ବା ଜଙ୍ଗଲ ସୀମାରେ ଝାଟିମାଟିରେ ଘର ଖଣ୍ଡିଏ କରିଥାନ୍ତି। ଘର ଭିତରେ ରଖାଯାଇଥିବା କଞ୍ଚା ଶସ୍ୟ ଓ ହାଣ୍ଡିଆ ମଦର ବାସ୍ନା ବାରି ହାତୀପଲ ସେଠାରେ ପହଞ୍ଚିଯାଆନ୍ତି। ଘରକୁ ଧକ୍କା ଦେଇ ଭାଙ୍ଗିଦିଅନ୍ତି। ଏହି ସମୟରେ ଘର ଭିତରେ କେହି ଥିଲେ ମୃତାହତ ହେବା ମଧ୍ୟ ଅସମ୍ଭବ ନୁହେଁ।
ପ୍ରତିବର୍ଷ ରାଜ୍ୟରେ ଶିକାରୀ ଗୁଳିରେ, ରେଳଲାଇନରେ କଟି ବା ଜଙ୍ଗଲରେ ଓହଳି ପଡ଼ିଥିବା ଇଲେକ୍ଟ୍ରିକ୍ ତାର ସଂସ୍ପର୍ଶରେ ଆସି ମରୁଥିବା ହାତୀମାନଙ୍କର ସଂଖ୍ୟା ୧୫ରୁ ୨୫ ଭିତରେ ସୀମିତ। କିନ୍ତୁ ଅନେକ ସମୟରେ ପ୍ରତିଶୋଧ ପାରାୟଣ ହୋଇ ଗାଁ ଲୋକମାନେ କ୍ଷେତ ବା ବଗିଚା ଚାରିପଟେ ତାରବାଡ଼ ଘେରେଇ ଦେଇ ରାତିରେ ନିକଟସ୍ଥ ୧୧ କେ.ଭି. ଲାଇନରୁ ସଂଯୋଗ ଆଣି ବିଦ୍ୟୁତ୍ ଚାର୍ଜ କରିଦିଅନ୍ତି। ହାତୀପଲ ଫସଲ ଖାଇବା ଉଦ୍ଦେଶ୍ୟରେ ବିଲକୁ ପଶିଲାବେଳେ ବିଦ୍ୟୁତ୍ ଆଘାତରେ ମରିଯାନ୍ତି। କେତେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୋଇ ଚାଷୀମାନେ ଫସଲରେ ବା ପାଣିଘାଟରେ ବିଷ ମିଶେଇ ଦିଅନ୍ତି ଓ ପରୋକ୍ଷରେ ହାତୀ ମୃତ୍ୟୁର କାରଣ ହୁଅନ୍ତି। ଏହିସବୁ କାରଣରୁ ସୃଷ୍ଟିର ଦୁଇଟି ସୁନ୍ଦର ଜୀବ ମଣିଷ ଓ ହାତୀ ଏବେ ମୁହଁାମୁହିଁ।
ଦେଶରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପରି ଜଟିଳ ପରିସ୍ଥିତି ସହିତ ଜଡ଼ିତ ଆନୁଷଙ୍ଗିକ କାର୍ଯ୍ୟର ସଂଯୋଜନା ନିମନ୍ତେ ଭାରତ ସରକାର ୧୯୯୨ରେ ‘ହସ୍ତୀ ପ୍ରକଳ୍ପ’ ଯୋଜନା ଆରମ୍ଭ କରିଥିଲେ। ପ୍ରକଳ୍ପର ତ୍ୱରିତ ଲକ୍ଷ୍ୟ ଥିଲା, ସ୍ଥାନୀୟ ଅଧିବାସୀଙ୍କର ସହଯୋଗ ନେଇ ଓ ସେମାନଙ୍କୁ ସଚେତନ କରାଇ ହାତୀ-ମଣିଷ ସମ୍ପର୍କର ସୁପରିଚାଳନା ଓ ଉଭୟଙ୍କ ମଧ୍ୟରେ ଥିବା କ୍ରମବର୍ଦ୍ଧିଷ୍ଣୁ ତିକ୍ତତା ହ୍ରାସ। ଏହି ପ୍ରକଳ୍ପ ମାଧ୍ୟମରେ ହାତୀ ସୁରକ୍ଷା ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ରହଛି, ହାତୀ ବସବାସ କରୁଥିବା ଜଙ୍ଗଲର ସୁରକ୍ଷା, ଅଭିବୃଦ୍ଧି ଓ ପୁନରୁଦ୍ଧାର, ଜଳାଶୟ ନିର୍ମାଣ, ହାତୀ ଚଲାପଥ ସଂଯୁକ୍ତୀକରଣ ଓ ପୁରାତନ ସଂଯୋଗପଥର ନବୀକରଣ, ହାତୀ ଶିକାର ନିରୋଧ ପାଇଁ ଭ୍ରାମ୍ୟମାଣ ଦଳ ବ୍ୟବସ୍ଥା, ଅହୋରାତ୍ର ହାତୀମାନଙ୍କର ଗତିବିଧି ନିରୀକ୍ଷଣ ପାଇଁ ବ୍ୟବସ୍ଥା, ରୋଗାକ୍ରାନ୍ତ ହାତୀମାନଙ୍କର ଚିକିତ୍ସା ଏବଂ ହାତୀଜନିତ କ୍ଷୟକ୍ଷତି ବା ଧନଜୀବନ ହାନି ପାଇଁ ଶୀଘ୍ର ଆର୍ଥତ୍କ ସହାୟତାର ବନ୍ଦୋବସ୍ତ। ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାରେ ମଧ୍ୟ ତିନୋଟି ହସ୍ତୀ ରିଜର୍ଭ ପ୍ରତିଷ୍ଠା କରାଯାଇଛି। ଆଉ ପାଦେ ଆଗକୁ ଯାଇ ହାତୀମାନଙ୍କ ସହିତ ମନୁଷ୍ୟ ସମାଜର ସମ୍ପର୍କ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ୨୦୧୦ରେ ଭାରତ ସରକାର ହାତୀକୁ ଜାତୀୟ ଐତିହ୍ୟ ପ୍ରାଣୀଭାବେ ଘୋଷଣା କରିଛନ୍ତି। ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଓ ଆତଙ୍କିତ ଲୋକମାନଙ୍କ ମନରେ ଥିବା ବିରୋଧାଭାସକୁ ପ୍ରଶମିତ କରିବା ଏବଂ ହାତୀ ପ୍ରତି ଉଦାର ମନୋଭାବ ଜାଗ୍ରତ କରାଇବା ଏହାର ଉଦ୍ଦେଶ୍ୟ।
୧୯୭୨ ବନ୍ୟପ୍ରାଣୀ ଆଇନରେ ହାତୀକୁ ପ୍ରଥମ ଅନୁସୂଚୀଭୁକ୍ତ ଓ ବିପଦଗ୍ରସ୍ତ ପ୍ରାଣୀଭାବେ ଚିହ୍ନଟ କରାଯାଇଛି। ହାତୀ ଶିକାର କରିବା, ହାତୀଦାନ୍ତ ସଂଗ୍ରହ କରିବା, ବିନା ମାଲିକାନାପତ୍ରରେ ହାତୀ ପୋଷିବା ଆଦି ଧର୍ତ୍ତବ୍ୟ ଅପରାଧ ଓ ଏହି ଅପରାଧ ପାଇଁ ୩ବର୍ଷରୁ ୭ବର୍ଷ କାରାଦଣ୍ଡ ଓ ଅନୂ୍ୟନ ୧୦,୦୦୦ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ଆଇନକାନୁନର ନିୟନ୍ତ୍ରଣ ବାହାରେ ହାତୀ-ମଣିଷ ସଂଘର୍ଷ ଏଡ଼ାଇବା ପାଇଁ ଭିନ୍ନ ଏକ ପନ୍ଥା ଅନୁସରଣ କରାଯାଇପାରେ-ତାହା ହେଉଛି ଜନ ସହଯୋଗିତା, ଜନ ସଚେତନତା ଓ ସମ୍ବେଦନଶୀଳତା। ହାତୀପଲ ବା ଗୋଟିକିଆ ହାତୀ ଗାଁ ଭିତରକୁ ପଶି ଆସିଲେ, ବିଲବାଡ଼ିରେ ପଶି ଫସଲ ନଷ୍ଟ କରିଲେ, କ’ଣ କରିବା ଉଚିତ ବା କ’ଣ ନ କରିବା ଉଚିତ, ସେ ବିଷୟରେ ଗ୍ରାମବାସୀଙ୍କୁ ପ୍ରଶିକ୍ଷିତ କରିବା ନିହାତି ଆବଶ୍ୟକ। ହାତୀକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଗାଁରେ ଯେଉଁ ଭିଡ଼ ଜମିଯାଏ ଏବଂ ଲୋକମାନେ ଟେକାପଥର ଫିଙ୍ଗି ଶବ୍ଦ କରି, ବାଜାବଜାଇ, ବାଣଫୁଟାଇ ବା ନିଅଁାହୁଳା ଜାଳି ହାତୀମାନଙ୍କୁ ଅଧିକ ଉତ୍ତ୍ୟକ୍ତ କରିଦିଅନ୍ତି। ଫଳରେ ଅଧିକ କ୍ଷୟକ୍ଷତି ଘଟିଥାଏ। ତେଣୁ ଭିଡ଼ ନିୟନ୍ତ୍ରଣ ହିଁ ପ୍ରଥମ ଆବଶ୍ୟକତା। ଏଥିପାଇଁ ସହଯୋଗର ହାତଟିଏ ବଢ଼ି ଆସିବା ଦରକାର। ‘ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେଶନ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ରାଜ୍ୟରେ ୨୦୧୨ରୁ ଏ ଦିଗରେ ବିଧିବଦ୍ଧ ଭାବେ କାର୍ଯ୍ୟ କରୁଛି। ହାତୀ ଉପଦ୍ରୁତ ଜଙ୍ଗଲ ନିକଟରେ ଥିବା ଗ୍ରାମବାସୀଙ୍କୁ ସଚେତନ, ସମ୍ବେଦନଶୀଳ କରିବା ପାଇଁ ତଥା ସେମାନଙ୍କର ସହଯୋଗ ଲାଗି ସଂସ୍ଥା ତରଫରୁ ‘ହାତୀ-ସାଥୀ’ ବାହିନୀ ଗଢ଼ା ହୋଇଛି। ଏଥିରେ ଯୋଗଦେବା ପାଇଁ ସ୍ବେଚ୍ଛାକୃତ ଭାବରେ ଉପଦ୍ରୁତ ଗାଁର ଯୁବକମାନେ ଆଗେଇ ଆସୁଛନ୍ତି। ଲକ୍ଷ୍ୟ ରହିଛି ସରକାରଙ୍କର ବନ ବିଭାଗ ସହ ଯୋଗସୂତ୍ର ରକ୍ଷାକରି କିପରି ଆଗାମୀ ଦିନରେ ହାତୀ-ମଣିଷ ସଂଘର୍ଷ ଉପରେ ରୋକ୍ ଲଗାଯାଇପାରିବ ଓ ଉଭୟ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ଶୂନ୍ୟସ୍ତରକୁ ଆଣିହେବ।
ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ)
ଓଡ଼ିଶା, ମୋ-୯୪୩୭୦୦୦୯୦୪