ମୁଠାଏ ମାଟି

ଦ୍ୱିତୀ ଚନ୍ଦ୍ର ସାହୁ

ନୂଆ ଘରସବୁ ସଜଡ଼ାସଜଡ଼ି ପରେ ମନ ବଳିଲା ଏଣିକି ବଗିଚା କରିବା। ସହରରେ ଘର କରିଲାବେଳେ ସ୍ଥାନ ପ୍ରତି ସମସ୍ତେ ସଚେତନ। ପ୍ରାୟ ସମସ୍ତଙ୍କର ନିଶା ଅମୂଲମୂଲ ଦରରେ କିଣାଯାଇଥିବା ଜାଗା ଯେମିତି ବରବାଦ ହେବନି। ସେଥିପାଇଁ ଇଞ୍ଜିନିୟରଙ୍କ ନିକଟରେ ନିଜେ ବସି ଘରର ପ୍ଲାନିଂ କରାଇଥାନ୍ତି। ଅଧିକାଂଶ ଲୋକଙ୍କ ଦି’ ମହଲା ଘର ତୋଳା ହୁଏ। ଗୋଟିକରେ ମାଲିକ, ଆର ଗୋଟିକ ଭଡ଼ା। ଋଣ ଭରଣା ପାଇଁ ଇଏ ଏକ ଯୋଜନା। ସେମିତିରେ ସାମ୍ନାରେ ଯଦିଓ କିଛି ସ୍ଥାନ ଛଡ଼ାଯାଇଥାଏ, କିନ୍ତୁ ସେସବୁ ପୂର୍ବରୁ ସିମେଣ୍ଟ କଂକ୍ରିଟ ହୋଇଥାଏ। ଯାନବାହନ ପାର୍କିଂ ଓ ଭୂତଳ ଜଳ ସଂରକ୍ଷଣ କୃତ୍ରିମ କୁଣ୍ଡ ପାଇଁ ସେଠାରେ ସୁବନ୍ଦୋବସ୍ତ ହୋଇଥାଏ। ଏମିତିରେ ଘରେ ବଗିଚା କରାଯିବ କୋଉଠି? ଯଦି ହେବ ଘରର ଅଗଣା, ନ ହେଲେ ପ୍ରଶସ୍ତ ଛାତ। ଅଧିକାଂଶ ସହରୀ ଲୋକ ଛାତ ବଗିଚା ପାଇଁ ଆଗ୍ରହୀ। ଛାତ ବଗିଚା ପାଇଁ ମନ ବଳିଲା କ୍ଷଣି ଦୋକାନକୁ ଯାଇ କୁଣ୍ଡ କିଣା ହୋଇ ଆସିଲା। ଫୁଲ ଗଛ ମିଳିଯିବ ନର୍ସରୀରେ। କିଂତୁ ଗଛ ଲଗେଇବା ପାଇଁ ମାଟି ଓ ଖତ ଦରକାର। ଖତ ବି କିଣିଲେ ଆଜିକାଲି ମିଳିଯାଉଛି। କିନ୍ତୁ ମାଟି ମିଳିବ କୋଉଠୁ? କୁଣ୍ଡ ପାଇଁ ମାଟି ଉଦ୍ଦେଶ୍ୟରେ ସ୍କୁଟି ଓ ଅଖା ଧରି ସହରରେ ପଇଁତରା ମରାଗଲା। ସହର ଉପକଣ୍ଠରେ ଗୋଟେ ଘରର ମୂଳଦୁଆ ପାଇଁ ଖୋଳାଯାଉଥିଲା ମାଟି। ସେଠାରେ ଗାଡି ରଖି ମାଟି ମୁଠାଏ ନେବାକୁ ଆଗ୍ରହ ପ୍ରକାଶ କରୁକରୁ ସେଠାରେ ଉପସ୍ଥିତ ଘର ମାଲିକ ମନା କଲା। କହିଲା- ‘ଆଜ୍ଞା! ଡେଲି ଡେଲି ଏମିତି ଅଖା ଧରି ଲୋକ ସବୁ ଚାଲି ଆସୁଛନ୍ତି। ମାଟିସବୁ ଏମିତି ଦେଇଦେଲେ ମୁଁ ଫେରେ ଫାଉଣ୍ଡେସନ ପରେ ଖାଲକୁ ପୋତିବି କେମିତି?’ ଏହାର ଉତ୍ତର ନ ଥିଲା।
ହତାଶା ଭିତରେ ଗାଡ଼ି ଘର ଅଭିମୁଖେ ଘୂରେଇଲି। ଏତିକିବେଳେ ଶ୍ରୀମା’ଙ୍କ ଗୋଟେ ଧାଡ଼ିି ମନେପଡ଼ିଗଲା। ସେ କହିଥିଲେ, ଦିନ ଆସିବ ମୁଠାଏ ସୁନା ଅପେକ୍ଷା ମୁଠାଏ ମାଟିର ମୂଲ ଢେରଗୁଣରେ ଅଧିକ ହେବ। ବାସ୍ତବରେ ସତକଥା। ଏବେ ମାଟିର ଦର କଷି ହେବନି। ସହରସାରା କଂକ୍ରିଟ ଜଙ୍ଗଲ। ମାଟି ଦେଖିବାକୁ ମିଳୁନି। ଚାରିଆଡେ କଂକ୍ରିଟ ଚଟାଣ। ଘରର ଅଗଣାଠାରୁ ରାସ୍ତା ଘାଟ ସବୁଠି ମାଟି ଉପରେ ସ୍ଥାୟୀ ଆସ୍ତରଣ। ବର୍ଷାପାଣି ଗଡ଼ିଗଡ଼ି ନାଳ ନଦୀ ହୋଇ ସମୁଦ୍ରକୁ ଚାଲିଯାଉଛି। ମାଟି ଭିତରକୁ ପାଣି ଭେଦି ପାରୁନି। ଏଣେ ନୂଆ ଘର ତିଆରି କରିବା ପୂର୍ବରୁ ଲୋଡ଼ା ନଳକୂଅ। ପ୍ରଥମେ ଗାଡ଼ିି ଆସି ଗଭୀର ନଳକୂପ ଖୋଳିବ। ପରେ ଘର ତୋଳା ଆରମ୍ଭ ହେବ। ଏଇମିତି ଅନେକ କାରଣରୁ ମାଟି ତଳର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗାଁଗହଳିରେ ଖରାଦିନେ ଯେତେ ମାରି ମାରି ହାଲିଆ ହୋଇଗଲେ ବି ଟୋପାଏ ପାଣି ଦେଇପାରୁନି ନଳକୂପ। ଗଁାରୁ ସହର ସବୁଠି ପାଣି ପାଇଁ ହାହାକାର। ଗାଁଲୋକେ ମୁନ୍ଦାଏ ପାଣି ପାଇଁ ଦୀର୍ଘ କିଲୋମିଟର ଚାଲି ଚାଲି ପାଣି ବୋହି ଆଣୁଥିବାର ଦୃଶ୍ୟ ସାଧାରଣ ହୋଇଗଲାଣି। ଏସବୁ ପ୍ରତି ଚିନ୍ତା କାହାର ନାହିଁ। ଅଥଚ ଘର ତୋଳିଲାବେଳେ ଚାଖଣ୍ଡେ କି ହାତେ ଜମି ପାଇଁ ପଡ଼ୋଶୀ ମଧ୍ୟରେ ଗଣ୍ଡଗୋଳ, ହାତାହାତି। ପରିବାର ଭିତରେ ବି ସେଇ ସମସ୍ୟା। ଭାଗବଣ୍ଟା ବେଳେ ଗଁାଗହଳିରେ ଜମିକୁ ନେଇ କେତେ ସମସ୍ୟା। ସହରରେ ଜଣେ ଅପାର ଆନନ୍ଦରେ ଜମି କିଣିଥିବ। ଘର କରିବାକୁ ଗଲାବେଳେ ଆଉ କିଏ ଘର ତୋଳି ସାରିଥିବ। ସେଇ ଜମିକୁ ଏକାଧିକ ଲୋକଙ୍କୁ ଚଞ୍ଚକତା କରି ବିକ୍ରି କରିଦେଇଥିବ ବିଲ୍‌ଡର। ତା’ପରେ ତା’ର ଠିକଣା ଖୋଜିବା କଷ୍ଟକର।
ମାଟି ଉପରେ ମାଲିକାନା ନେଇ ହଜାରେ ସମସ୍ୟା। ମାଟି ଉପରେ ନିର୍ଦ୍ଧାରିତ ଅଙ୍କାବଙ୍କା କଳ୍ପିତ ଅନେକ ରେଖା ଯେମିତି ପାଲଟିଛି ଭାଗ୍ୟରେଖା। ମାନଚିତ୍ରର ଏଇ ସୀମାରେଖାକୁ ନେଇ ସବୁଠି ଦ୍ୱନ୍ଦ୍ୱ। ଦେଶ-ଦେଶ ଭିତରେ ଯୁଦ୍ଧ ପରିସ୍ଥିତି। ରାଜ୍ୟ-ରାଜ୍ୟ ଭିତରେ ଆଇନ ଶୃଙ୍ଖଳା ପରିସ୍ଥିତି। ଜିଲା-ଜିଲା ଭିତରେ ବିବାଦ। ଗାଁ ଗାଁ ଭିତରେ ହଣାକଟା। ଏବେ ଖାଲି ମାଟି ଉପରେ ମଣିଷର ଲୋଲୁପ ଦୃଷ୍ଟି ନାହିଁ, ମାଟି ତଳେ ଥିବା ଖଣିଜ ସଂପଦ ଉପରେ ଲୋଭିଲା ନଜର। ମାଟି ଭିତର ଅମୂଲ୍ୟ ସଂପଦ ପାଇଁ ଜୋରଜବରଦସ୍ତି ଅନଧିକାର ପ୍ରବେଶକୁ ନେଇ ବିବାଦ ଓ କୋର୍ଟ କଚେରି। ଭାରତର ସୀମାରେଖା ଉପରେ ପଡ଼ୋଶୀଙ୍କ ଆକ୍ରମଣ। ଓଡ଼ିଶାର ସୀମାରେଖା ଉପରେ ସେମିତି ଆନ୍ଦ୍ର, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଆଖି। ମୁଠାଏ ମାଟିକୁ ନେଇ ସବୁଠି ବିପ୍ଳବ। ଷାଠିଏ ସତୁରି ଦଶକରେ ବୈଷୟିକ ସାଧନ ସେମିତି କିଛି ନଥିଲା। ଗଁାରେ ଘର ତୋଳିବା ହେଉ କି ବିଲ ତିଆରି ଲାଗି ଲୋଡା ପଡୁଥିଲା କେବଳ ମଣିଷବଳ। ମାଟି ଖୋଳି ପଥର ତାଡି ଘର, କୂଅ, ବିଲ, ରାସ୍ତାଘାଟ ତିଆରି ହେଉଥିଲା। ଘର ତିଆରି ପାଇଁ ଗାଁଠାରୁ ଦୂର ଅନାବାଦୀ ମାଟି ଢେପରୁ ମାଟି ଖୋଳି ଜନ୍ଦାପିମ୍ପୁଡି ଭଳି ପରିବାରର ସଦସ୍ୟମାନେ ବୋହି ଆଣି ମାଟିକାନ୍ଥ ତିଆରି ହେଉଥିଲା। ମାଣବସା ଗୁରୁବାର ଲାଗି ପାହାଡ ତଳ ମାଟି ଖାଦାନରୁ ଚିହ୍ନିତ ରଙ୍ଗମାଟି ଅଣାଯାଉଥିଲା ଘର ଲିପିବା ପାଇଁ। ଗଛ ଲଗାଇବାକୁ କୁଣ୍ଡର ଆବଶ୍ୟକତା ପଡୁ ନଥିଲା। ଘର ପଛପଟ ପ୍ରଶସ୍ତ ବାଡ଼। ସେଠି ଫୁଲ ଫଳ ପନିପରିବାର ସମ୍ଭାର। ଔଷଧୀୟ ବୃକ୍ଷରାଜିରେ ପୂରି ଉଠୁଥିଲା ବାଡ଼। ଝାଟିମାଟିର ବାଡ଼ରେ ଯଦିଓ ପାଚେରି ଉଠୁଥିଲା, କିନ୍ତୁ ବାଡ଼କୁ ନ ମାନି ଗଛଲତା ପରସ୍ପର ଭିତରେ ପ୍ରୀତି ବାଣ୍ଟୁଥିଲେ। ଏବେ ହାତରେ ଧନ ବଳ ଅଛି ତ ମାଟି ଉପରେ ହୁକୁମତ କରିପାରିବେ। ଗଁାର ପରିସ୍ଥିତି ସଙ୍ଗିନ। ପୁଳାଏ ଟଙ୍କାକୁ ଫୋପାଡି ଜୀବନଜୀବିକା କିଣା ହୋଇପାରୁଛି। ବର୍ଷ ବର୍ଷ ଧରି ରହିଥିବା ଭିଟାମାଟି ଉପରେ ବି ଥିବା ନିଜର ମାଲିକାନା ଚାଲିଯାଉଛି ବାଏଁ ବାଏଁ ଶିଳ୍ପପତିଙ୍କ ନିକଟକୁ। ସବୁ ସୁବିଧା ନାଆରେ ଅଜଣା ଜାଗାରେ ଚିଡ଼ିଆଖାନାର ଭ୍ରମ ଭିତରେ ପୁନର୍ବାସ କଲୋନୀରେ ମଣିଷ ରହିବାକୁ ବାଧ୍ୟ। ସେଠି ମାଟି ମୁଠାଏ ସ୍ବପ୍ନ। ମାଟିର ମୋହରେ ମନ ବିଷଣ୍ଣ। ସହର କାୟା ମେଲୁଛି। ଗାଁପାଖକୁ ଭେଦିଗଲା ସହରର ସର୍ବଗିଳା ଅଜଗର। ଅକ୍ଟୋପସ ପରି ବିଲ୍‌ଡରଙ୍କ ଘେରରେ ଗାଁର ସବୁଜ ଜମି। ସହରରେ ଲୋକଙ୍କ ପାଇଁ ମାଟି ନାହିଁ। ଅଛି ତ କୋଉ ସହରତଳିର ଅସ୍ଥାୟୀ କୁଡ଼ିଆ ଭିତରେ ଜୀବନ। ଏମିତି ଗୋଳେଇଘାଣ୍ଟି ହେଉଥିବା ମନ ସହ ଘରକୁ ଫେରିଲି। ଘର ଲୋକଙ୍କ ହାତକୁ ଖାଲି ଅଖା ବଢ଼େଇ ଦେଇ କହିଲି- ‘ମାଟି ପାଇଁ ପାଖ ଗାଁକୁ ଯିବାକୁ ହେବ।’ ଏମିତି କଥା ଶୁଣିବାକୁ କେହି ଆଦୌ ପ୍ରସ୍ତୁତ ନଥିଲେ। ଚେହେରାରୁ ଲାଗୁଥିଲା ସେମାନଙ୍କ ହୃଦୟର ପାହାଡ଼ରୁ ମାଟି ଅତଡ଼ା ଖସି ଛାତ ବଗିଚା କରିବାର ଆଗ୍ରହକୁ ରାସ୍ତାରୋକୋ କରିଦେଉଥିଲା।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ: ୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ହିଂସା ଉଦ୍ରେକକାରୀ ଜିନ୍‌

ସଦରେ କଳିଝଗଡ଼ା ହେଲେ ସବୁ ରାଜନେତା ଭାଗ ନିଅନ୍ତି ନାହିଁ, କେତେକ ସଂସଦର କୂଅ ଭିତରକୁ ଯାଆନ୍ତି ତ କେତେକ ବାଚସ୍ପତିଙ୍କ ପାଖକୁ ଯାଇ ପାଟି...

ଅସ୍ପଷ୍ଟ ଆଭିମୁଖ୍ୟ

ପୂଜାସ୍ଥଳ(ବିଶେଷ ପ୍ରାବଧାନ) ଅଧିନିୟମ, ୧୯୯୧ ଯେକୌଣସି ପୂଜାସ୍ଥଳୀର ରୂପାନ୍ତରଣକୁ ବାରଣ କରେ। ୧୫ ଅଗଷ୍ଟ ୧୯୪୭ରେ ପୂଜାସ୍ଥଳର ଧର୍ମୀୟ ସ୍ଥିତି ଯାହା ରହିଥିଲା ତାହାକୁ ପରିବର୍ତ୍ତନ...

ଅନେକ ଆଶା, ଭରସା

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠି ବର୍ଷାର ଅଭାବ ନାହିଁ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏଇ ପ୍ରଦେଶରେ ଖଣିଜ ସମ୍ପଦ ଅପର୍ଯ୍ୟାପ୍ତ ଏବଂ ଉପକୂଳବର୍ତ୍ତୀ ରାଜ୍ୟ...

ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ...

ଏକ ସଂଯୋଗ

ନିକଟରେ ନୂଆଦିଲ୍ଲୀରେ ସଚିବ ସ୍ତରୀୟ ଅଦଳବଦଳକୁ ନେଇ କେତେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏହି ଅଦଳବଦଳର ଯୁକ୍ତିଯୁକ୍ତତା ପଛରେ ରହସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ପାଇଁ ଆସନ୍ତୁ...

ଏଇ ଭାରତରେ

କୁହାଯାଏ ଜ୍ଞାନ ଅର୍ଜନ କରିବାର କୌଣସି ନିର୍ଦ୍ଦିଷ୍ଟ ବୟସ ନ ଥାଏ। ସେଥିପାଇଁ ତ ୮୧ ବର୍ଷ ବୟସରେ ବି ପୁଣି ଥରେ ପାଠ ପଢ଼ିବା...

ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ...

ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri