ରାସୋଳ,୨୬।୮(ଡି.ଏନ୍.ଏ.): ସବୁଜ ଛନଛନ ପନିପରିବାରେ ପୂରି ଉଠୁଥିଲା ବାଡ଼ିବଗିଚା। କଲରାଠାରୁ କଖାରୁ, ସଜନାଠାରୁ ସଲରା ଏପରି କି ସପେଟା, ପିଜୁଳି ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଫଳୁଥିଲା। ବାଡ଼ି ପଟ ଛୋଟ ଜାଗାରେ ହେଉଥିବା ଏଭଳି ତଟକା ପରିବା ଅନେକାଂଶରେ କମାଉଥିଲା ପକେଟ ଉପରୁ ବୋଝ। ଘରର ଆବଶ୍ୟକତା ପୂରଣ ହେବା ସହ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ପଠାଯାଉଥିଲା। ହେଲେ ଯେବେଠାରୁ ମାଙ୍କଡ଼ପଲ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହୋଇଛନ୍ତି, ସେବେଠୁ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। ବାଡ଼ିବଗିଚାରେ ମାଙ୍କଡ଼ପଲ ଦିନରାତି ପ୍ରାଦୁର୍ଭାବ କରୁଥିବାବେଳେ
ପରିବା କଷିଟିଏ ବି ଘରକୁ ଆସୁନି, ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳବାସୀ ଏବଂ ଚାଷୀ।
ପରିବା ଚାଷ ପାଇଁ ଢେଙ୍କାନାଳରେ ପ୍ରସିଦ୍ଧି ଅର୍ଜନ କରିଛି ରାସୋଳ। ଏଠାକାର ଚାଷୀମାନେ ଏକର ଏକର ଜମିରେ ବର୍ଷସାରା ଫଳାଇଥାନ୍ତି ପନିପରିବା। ଏହାକୁ ବାଦ୍ ଦେଲେ ଅଞ୍ଚଳ ପ୍ରତି ପରିବାର ନିଜର ବାଡ଼ିପଟେ ଅମୃତଭଣ୍ଡା, ସଜନା, କାକୁଡ଼ି, ଜହ୍ନି, ଝୁଡ଼ଙ୍ଗ, ବାଇଗଣ, ଲଙ୍କା, କାଙ୍କଡ଼, ପୋଟଳ ଭଳି ନା ନା ପ୍ରକାରର ପରିବା ଚାଷ କରୁଥିଲେ। ଏହା ସେମାନଙ୍କ ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଉଥିଲା। ମହରଗ ସମୟରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେଉଥିଲା। ତେବେ ମାଙ୍କଡ଼ ଉପଦ୍ରବ ଯୋଗୁ ଗତ କିଛି ବର୍ଷ ହେଲା ବ୍ୟାପକ କ୍ଷୟକ୍ଷତି ହେଉଛି। ସବୁ ପରିଶ୍ରମ ବୃଥା ଯାଉଛି। ତେଣୁ ଇଚ୍ଛା ଥିଲେ ବି ଅଧିକାଂଶ ପରିବାର ବାଡ଼ିପଟେ ପରିବା ଫଳାଇବାକୁ ପଛଘୁଞ୍ଚା ଦେଉଛନ୍ତି। ପୂର୍ବରୁ ଯେଉଁ ପରିବାର କେଜି କେଜି ପରିବା ଉତ୍ପାଦନ କରୁଥିଲେ, ଏବେ ସେମାନେ ସକାଳ ହେଲେ ବ୍ୟାଗ୍ ଧରି ହାଟମୁହଁା ହେଉଛନ୍ତି। ବନ୍ୟା ପରବର୍ତ୍ତୀ ସମୟରେ ପରିବା ଦର ଆକାଶଛୁଅଁା ହୋଇଥିବାବେଳେ ଏହା ବେଶି ବାଧୁଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପଟେ ମାଙ୍କଡ଼ ଦ୍ୱାରା ଫସଲ ହାନି ହେଲେ ସରକାରୀସ୍ତରରେ କ୍ଷତିପୂରଣ ବ୍ୟବସ୍ଥା ନାହିଁ। ତେଣୁ ଚାଷୀ ପରିବାର ଅଭିଯୋଗ ମଧ୍ୟ କରିପାରୁନାହାନ୍ତି। ମାଙ୍କଡ଼ଙ୍କ ଏଭଳି ଉପଦ୍ରବ ଚିନ୍ତା ବଢ଼ାଇଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସମସ୍ୟା ସମ୍ପର୍କରେ ରେଞ୍ଜର ଲୋହିତ କୁମାର ରଥଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାବେଳେ ସେ ନିଜର ଅସହାୟତା ପ୍ରକାଶ କରିଥିଲେ। ମାଙ୍କଡ଼ ଉପଦ୍ରବରେ ଫସଲ କ୍ଷୟକ୍ଷତି ହେଲେ ସରକାରୀସ୍ତରରେ କ୍ଷତିପୂରଣ ଦେବା ବ୍ୟବସ୍ଥା ନାହିଁ। ତେଣୁ ଏଥିରେ ବନ ବିଭାଗ କିଛି କରିପାରିବ ନାହିଁ ବୋଲି ସେ କହିଛନ୍ତି।