ସ୍କୁଲ ବାରଣ୍ଡାରେ ଅସହାୟ ପରିବାର

ସିମୁଳିଆ, ୧୩।୩(ଡି.ଏନ.ଏ.) – ଘରଦ୍ୱାର ନାହିଁ। ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ କୁଟାରୀ ଅଞ୍ଚଳର ଏକ ପରିବାର। ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଥିବା ବେଳେ ଏହି ପରିବାର ସେଥିରୁ ବଞ୍ଚିତ ରହିଛନ୍ତି। ୭ଦିନ ହେଲା ୬୦ବର୍ଷୀୟା କୁନିଲତା ସେନାପତି, ପୁଅ ଶୈଳେନ୍ଦ୍ର, ବୋହୂ ଗୀତାଞ୍ଜଳି, ନାତି କ୍ଷୀରୋଦ, କିରଣ ଓ ନିହାର ସ୍ଥାନୀୟ କୁଟାରୀ ପ୍ରାଥମିକ ବିଦ୍ୟାଳୟ ପିଣ୍ଡାରେ ଆଶ୍ରୟ ନେଇଛନ୍ତି। ତାଙ୍କ ବଡ଼ ଓ ମଝିଆ ନାତି ସ୍ଥାନୀୟ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀରେ ପଢୁଥିବା ବେଳେ ସାନ ନାତି ଅଙ୍ଗନୱାଡ଼ିରେ ପଢୁଛନ୍ତି । ପୁଅ, ବୋହୂ ମୂଲ ଲାଗିଲେ ପରିବାର ଚଳୁଛି। ଗତ ୩/୪ଦିନ ପୂର୍ବେ ବିଡ଼ିଓ ସୁଧୀର କୁମାର ସିଂ ଅନ୍ୟ ଏକ ସରକାରୀ କାମରେ ସ୍ଥାନୀୟ ଅଞ୍ଚଳକୁ ଆସିଥିବା ବେଳେ ପାଖ ସାହି ୧୮ନଂ ୱାର୍ଡ଼ର ୱାର୍ଡ଼ସଭ୍ୟ ପ୍ରତାପ ନାୟକ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ।
ଏ ସମ୍ପର୍କରେ କୁନିଲତା କୁହନ୍ତି, ତାଙ୍କର ପ୍ରାୟ ୫ ଏକର ସମ୍ପତ୍ତି ଥିଲା। ତାଙ୍କ ପରିବାର ମାର୍କୋଣାରେ ଭଡ଼ା ଘରେ କରି ରହୁଥିଲେ। ତାଙ୍କ ସ୍ବାମୀ ରବୀନ୍ଦ୍ର ସିମୁଳିଆ କଲେଜ ହଷ୍ଟେଲ ରେଷେୟା ଭାବେ କାର୍ଯ୍ୟ କରୁଥିଲେ। ଗତ ୩ବର୍ଷ ପୂର୍ବେ ସ୍ବାମୀ ରବୀନ୍ଦ୍ରଙ୍କର ମୃତ୍ୟୁ ହେବା ପରେ ତାଙ୍କ ପରିବାର ଗାଁକୁ ଫେରିଥିଲେ। ରବୀନ୍ଦ୍ର ତାଙ୍କ ଜମିବାଡ଼ି ବିକ୍ରି କରିଦେଇଥିବା ପଡ଼ୋଶୀ ଓ ଭାଇସାହି ଲୋକେ କହିବା ପରେ ତାଙ୍କ ପରିବାର ଗାଁରେ ଏକ ଭଡ଼ାଘର ନେଇ ରହୁଥିଲେ। ତେବେ ମାଲିକ ମରାମତି କରିବା ପାଇଁ ଘର ଖାଲି କରିବା ପାଇଁ କହିବାରୁ ସେମାନେ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ଗତ ଦୁଇଦିନ ଝଡ଼ବର୍ଷାରେ ଏହି ପରିବାର ବାରଣ୍ଡାରେ ପଡ଼ି ରହିବା ଓ ଇଟା ରଖି ରାନ୍ଧି ଖାଉଛନ୍ତି ବୋଲି ବିଦ୍ୟାଳୟ ପରିସରରେ ପରିଚାଳିତ ଅଙ୍ଗନୱାଡ଼ିର କର୍ମୀ ଅର୍ଣ୍ଣପୂର୍ଣ୍ଣା ନାୟକ କହିଛନ୍ତି। ଏ ସମ୍ପର୍କରେ ତହସିଲଦାର ରବିନାରାୟଣ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ କୁନିଲତାଙ୍କ ପରିବାରକୁ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

Share