ଅମରପାଲି,୨ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ପିତାମହୁଲ ପଞ୍ଚାୟତ ଗରିଆମୁଣ୍ଡା ଅଞ୍ଚଳରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଦୁଇଦିନ ହେଲା ଦୁରଦୁରା ସଂରକ୍ଷିତ ଜଙ୍ଗଲରୁ ନଅ ଟିକିଆ ହାତୀପଲ ଆସି ଗରିଆମୁଣ୍ଡା ଓ ଠାକୁରପୁର ଅଞ୍ଚଳର ଚାଷ ଜମିରେ ଧାନଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ତେବେ ଖବର ପାଇ ଉଭୟ ବୀରମହାରାଜପୁର ଏବଂ ଉଲୁଣ୍ଡା ବନାଞ୍ଚଳ କର୍ମଚାରୀ ତଥା ସୁବଳୟା ପୋଲିସ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ହାତୀପଲକୁ ଆଠମଲ୍ଲିକ ଜଙ୍ଗଲକୁ ଘଉଡ଼ାଇ ଦେଇଥିବା ଜଣାଯାଇଛି। ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ଚାଷ ମଧ୍ୟ ଭଲ ହୋଇଛି। ଏନେଇ ଚାଷୀ ବେଶ୍ ଖୁସି ଥିବା ବେଳେ ଏବେ ହାତୀପଲ ଧାନଫସଲ ନଷ୍ଟ କରିଥିବା ଯୋଗୁ ଚାଷୀ ହତାଶ ହୋଇପଡ଼ିଛି। ଧାନଫସଲ ଅମଳ ହେବା ପୂର୍ବରୁ ହାତୀପଲ ଆସିବା ଆରମ୍ଭ ହୋଇ ଥିବାରୁ ବନ ବିଭାଗ ସଜାଗ ରହି ହାତୀ କିପରି ଫସଲ ନଷ୍ଟ ନ କରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି।