ସହର ଅଭିମୁଖେ ଗୋଠଖଣ୍ଡିଆ ହାତୀ

ଜଳେଶ୍ୱର,୧୦।୭(ଡି.ଏନ.ଏ.): ୩ଦିନ ଧରି ଏକ ଗୋଠଖଣ୍ଡିଆ ହାତୀ ରାଇବଣିଆର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷତି ଘଟାଇ ଚାଲିଥିବା ବେଳେ ଶନିବାର ଅପରାହ୍ନରେ ସୁବର୍ଣ୍ଣରେଖା ନଦୀ ପାରି ହୋଇ ଜଳେଶ୍ୱର ସହର ଅଭିମୁଖେ ଚାଲିଛି ା
ବନ କର୍ମଚାରମାନେ ହାତୀକୁ ଘଉଡାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି ା ଜଳେଶ୍ୱର ସହରରେ ହାତୀ ପଶିଲେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆଶଙ୍କାରେ ବନବିଭାଗ ପକ୍ଷରୁ ପୋଲିସ ସହାୟତା ଲୋଡାଯାଇଛି ା
ବିଳମ୍ବିତ ରାତିରେ ଏକ ଗୋଠଖଣ୍ଡିଆ ହାତୀ ବରଡିହାସ୍ଥିତ ଜଙ୍ଗଲରେ ପହଞ୍ଚିଥିଲା। ଲୁହାପଡା ଜଙ୍ଗଲରେ ଗତ ଶୁକ୍ରବାର ହାତୀକୁ ଦେଖିବାକୁ ମିଳିଥିଲା। ନାରାୟଣପୁର ଗାଁର କରିନା କିସ୍କୁର ଘର ଭାଙ୍ଗିବା ସହିତ ତାଙ୍କ ଘରେ ଥିବା ଧାନ, ଚାଉଳ ଓ ପନିପରିବା ଖାଇ ନଷ୍ଟ କରିଥିଲା ା
ପ୍ରାଣ ବିକଳରେ କରିନା କିସ୍କୁ ଅନ୍ୟ ଘରେ ଆଶ୍ରୟ ନେଇଥିବା ବେଳେ ହାତୀ ଭୋର ସମୟରେ ତାଙ୍କ ଘରକୁ ୨ୟ ଥର ଆକ୍ରମଣ କରିଥିଲା। ସକାଳେ ହାତୀକୁ ସୁବର୍ଣ୍ଣରେଖା ନଦୀକୂଳ ଶ୍ରୀରାମପୁର ପଞ୍ଚାୟତର ଗୁରୁଦାସପୁରଠାରେ ଦେଖିବାକୁ ମିଳିଥିଲା ା
ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳରେ ହାତୀଟି ବୁଲୁଥିବା ବେଳେ ସନ୍ଧ୍ୟାରେ ହଠାତ୍‌ ବଜାରଶୋଳଠାରେ ସୁବର୍ଣ୍ଣରେଖା ନଦୀ ପାରି ହୋଇଥିବା ଜଣାଯାଇଛି ା ହାତୀ ଜଳେଶ୍ୱର ଅଭିମୁଖେ ଯାଉଥିବା ଦେଖି ଜଳେଶ୍ୱର ରେଞ୍ଜର ଜୟଶ୍ରୀ ମୁର୍ମୁ ବିଭିନ୍ନ ଅଞ୍ଚଳରୁ କର୍ମଚାରୀଙ୍କୁ ଆଣି ମୁତୟନ କରିଛନ୍ତି। ବରଡିହା ଫରେଷ୍ଟର ଦେବରାଜ ରାଉତଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ଦୁଷ୍ମନ୍ତ ଜେନା, ମନୋହର ସିଂ, ଅବୈତନିକ ବନ୍ୟାପ୍ରାଣୀ ତତ୍ତ୍ୱାବଧାରକ ଅଶ୍ୱନୀ ଦାସ ପ୍ରମୁଖ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି ା ରାତିରେ ଜଳେଶ୍ୱର ସହରରେ ହାତୀ ପ୍ରବେଶ କରିବା ଭୟରେ ରେଞ୍ଜର ମୁର୍ମୁ ପୋଲିସ ସହାୟତା ଲୋଡିଥିବା ଜଣାଯାଇଛି ା