ଭୁବନେଶ୍ୱର,୩୦।୭(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ‘ମଙ୍କିପକ୍ସ’ମାମଲା ଚିନ୍ତା ବଢାଇଲାଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ କିଭଳି ନିୟନ୍ତ୍ରଣରେ ରଖାଯାଇ ପାରିବ ସେନେଇ ଶନିବାର ଉଚ୍ଚ ସ୍ତରୀୟ ବୈଠକ ବସିବ। ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪.୩୦ରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଉପସ୍ଥିତି ରହିବେ। ଦେଶରେ ‘ମଙ୍କିପକ୍ସ’ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି। ତେବେ ଏହି ବୈଠକରେ ‘ମଙ୍କିପକ୍ସ’ ମୁକାବିଲା ନେଇ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯିବ।
ଅନ୍ୟପକ୍ଷେ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୂର୍ବରୁ ‘ମଙ୍କିପକ୍ସ’କୁ ନେଇ ଗାଇଡ୍ଲାଇନ୍ ଜାରି ହୋଇସାରିଛି। ଯାହାଙ୍କ ଠାରେ ‘ମଙ୍କିପକ୍ସ’ର ଲକ୍ଷଣ ଦେଖାଗଲେ, ଆଇସୋଲେଶନରେ ରହିବା ସହତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇବାକ ପରାମର୍ଶ ଦିଆଯାଇଛି।