ପ୍ରଥମଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢିବେ ଜଣେ ହିନ୍ଦୁ ମହିଳା: ପ୍ରାର୍ଥୀପତ୍ର କଲେ ଦାଖଲ

ଇସଲାମାବାଦ୍‌,୨୬।୧୨: ଆସନ୍ତା ବର୍ଷ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାାଚନରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ମହିଳା ଖାଇବର ପାଖ୍ଟନଖୱାର ବନେର ଜିଲାରେ ସାଧାରଣ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଭିରା ପରକାଶ ନାମକ ଜଣେ ହିନ୍ଦୁ ମହିଳା ବନେର ଜିଲାର ପିକେ-୨୫ ସାଧାରଣ ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପାକିସ୍ତାନରେ ୨୯୨୪ ଫେବୃଆରୀ ୮ରେ ନିର୍ବାଚନ ଅନୁଷ୍ଠିତ ହେବ।
ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ସାଭିରା ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଟିକେଟରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ସାଭିରାଙ୍କ ପିତାଙ୍କ ନାମ ଓମପ୍ରକାଶ, ଯିଏ ଜଣେ ଅବସରପ୍ରାପ୍ତ ଡାକ୍ତର। ସେ ଏହା ପୂର୍ବରୁ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ସଦସ୍ୟ ମଧ୍ୟ ରହିଛନ୍ତି।
ସାଭିରା ୨୦୨୨ରେ ଆବଟ୍ଟାବାଦ ଅନ୍ତର୍ଜାତୀୟ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଛନ୍ତି। ସେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମହିଳା ୱିଙ୍ଗର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ପରିବେଶକୁ ପରିଷ୍କାର ରଖିବା ପାଇଁ କାର୍ଯ୍ୟ ମଧ୍ୟ କରୁଛନ୍ତି। ମହିଳାଙ୍କୁ ଅବହେଳା ଏବଂ ଅତ୍ୟାଚାର ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଏବଂ ନିର୍ବାଚିତ ହେଲେ ସେ ଏହି ସମସ୍ୟାର ସମାଧାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Share