ଦାରିଙ୍ଗବାଡି,୯ା୭(ଅରୁଣ ସାହୁ ): ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ୫୯ ନମ୍ବର ଜାତୀୟରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ ଯୋଗୁ ମାତ୍ର ୧୦ ମିନିଟ ବର୍ଷାରେ ପାଣି ଜମି ଯାତାୟାତରେ ସମସ୍ୟା ଦେଖାଯାଇଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ତପ୍ତରତା ଦେଖାଯାଇଛି। ତରବରିଆ ଭାବେ ସ୍ଥାୟୀ କାମ ବଦଳରେ ବିଭାଗ ପକ୍ଷରୁ ଡ୍ରେନ୍ର ଏକାଧିକ ସ୍ଥାନରେ ବଡ଼ ବଡ଼ ଗାତ କରି ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଛି। ଡ୍ରେନରେ ଗାତ କରାଯାଇଥିବାରୁ ରାସ୍ତାରେ ଯାଉଥିବା ଲୋକେ ଅସାବଧାନତା ବଶତଃ ଖାଲରେ ପଡିଯିବା ଆଶଙ୍କା ରହିଛି ବୋଲି ଦାରିଙ୍ଗବାଡି ତିନିଛକ ଅଞ୍ଚଳର ଆଇନଜୀବୀ ହରେନ କୁମାର ସାହୁ କହିଛନ୍ତି।
ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ଡ୍ରେନ୍ର ମରାମତି କରାଯିବା ପାଇଁ ଗ୍ରାମର ସୁଧୀର ସାହୁ, ଚେତନ ବେହେରା, ମନୋଜ ବେହେରା ପ୍ରମୁଖ ଦାବି କରିଛନ୍ତି। ଦାରିଙ୍ଗବାଡି ଲଷ୍ମୀ ବଜାରର ଦେବାଶିଷ ସାହୁ କହିଛନ୍ତି ଯେ, ରାସ୍ତା ସମ୍ପ୍ରସାରଣ ବେଳେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ହେଲେ ଠିକାଦାର ସଂସ୍ଥା ଲୋକଙ୍କ ଅଭିଯୋଗକୁ ଖାତିର କରି ନ ଥିବା ସେ କହିଛନ୍ତି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି।