ଦୁର୍ଘଟଣାରେ ପ୍ରାଣ ହରାଇଲା ଘୋଡା: ଝୁରୁଛନ୍ତି ପରିବାର

ମୋରଡ଼ା,୨୩ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ଅଞ୍ଚଳରେ ‘ରାନୀ’ ବେଶ୍‌ ଜଣାଶୁଣା। ଆଖପାଖ ଗାଁର ଲୋକେ ତାକୁ ବହୁତ ଆଦର ମଧ୍ୟ କରୁଥିଲେ। ରାନୀ କୌଣସି ଛୋଟ ଝିଅର ନାଁ ନୁହେଁ, ସେ ହେଉଛି ଅଶେଷ ମହାନ୍ତଙ୍କ ପୋଷାଘୋଡ଼ା। ସକାଳ ହେବା ମାତ୍ରେ ଛୋଟ ଛୋଟ ପିଲାମାନେ ରାନୀ ସହିତ ଖେଳିବାକୁ ଚାଲିଆସନ୍ତି। ହେଲେ ଶୁକ୍ରବାର ମଧ୍ୟାହ୍ନରେ ଚିତ୍ରଡ଼ା-ଅମର୍ଦ୍ଦା ରାଜ୍ୟ ରାଜପଥର ପୁରୁଣାପାଣି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ରାନୀର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ତେବେ ରୀତିନୀତି ଅନୁସାରେ ପରିବାର ଲୋକେ ଉକ୍ତ ଘୋଡ଼ାର ଅନ୍ତିମକ୍ରିୟା ଶେଷ କରିଛନ୍ତି l

Share