ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର ୮ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରଖିବେ ବୋଲି କହିଛନ୍ତି।

ବାଂଲାଦେଶ ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା। ଦାବି ପୂରଣ ନ ହେଲେ ସେମାନେ ଢାକା ଅଭିଯାନରେ ଯିବା ପାଇଁ ଧମକ ଦେଇଛନ୍ତି। ସେମାନଙ୍କ ଦାବି ମଧ୍ୟରେ ରହିଛି ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନିମନ୍ତେ ଟ୍ରିବ୍ୟୁନାଲ ଗଠନ, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା, ଅବିଳମ୍ବେ ସଂଖ୍ୟାଲଘୁ ସୁରକ୍ଷା ଆଇନ ଆଣିବା, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଗଠନ ହେବା, ପ୍ରତି ଶିକ୍ଷାନୁଷ୍ଠାନରେ ସଂଖ୍ୟାଲଘୁମାନଙ୍କ ପାଇଁ ଉପାସନା ସ୍ଥଳ ନିର୍ମାଣ ଇତ୍ୟାଦି।

Share