Categories: ଖେଳ

ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଶାଳ ଟାର୍ଗେଟ୍‌: ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ହାଇଦ୍ରାବାଦ,୧୨।୧୦: ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ହାଇଦ୍ରାବାଦରେ ଶନିବାର ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ସାମସନ୍‌ଙ୍କ ବିସ୍ଫୋରକ ଶତକ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୯୭ ରନ୍‌ କରି ରେକର୍ଡ ସ୍କୋର ଛିଡ଼ା କରିଛି। ଫଳରେ ବାଂଲାଦେଶ ଆଗରେ ୨୯୮ ରନ୍‌ର ବିଶାଳ ଟାର୍ଗେଟ ରଖିଛି ଭାରତ। ଟି-୨୦ ଇତିହାସରେ ସର୍ବୋଚ୍ଚ ସ୍କୋର ନେପାଳ ନାଁରେ ରହିଛି। ନେପାଳ ଗତ ବର୍ଷ ମଙ୍ଗୋଲିଆ ବିରୋଧରେ ୩୧୪ ରନ୍‌ କରିଥିଲା ।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଓପନର ଅଭିଷେକ ଶର୍ମା ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଥିଲେ। ହେଲେ ସଞ୍ଜୁ ସାମସନ୍‌ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। ସାମସନ୍‌ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ଟି ବଲରୁ ୧୧୧ ରନ୍‌ କରିଥିଲେ । ସଞ୍ଜୁ ଏହି ଇନିଂସରେ ୧୧ଟି ଚୌକା ଓ ୮ଟି ଛକା ମାରିଥିଲେ । ସେହିପରି ସୂର୍ଯ୍ୟକୁମାର ୩୫ଟି ବଲରୁ ୭୫ ରନ୍‌ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୪୭ ରନ୍‌ ଓ ରିୟାନ ପରାଗ ୩୪ ରନ୍‌ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୨୯୭ ରନ୍‌ କରି ରେକର୍ଡ ସ୍କୋର ଛିଡ଼ା କରିଥିଲା। ବାଂଲାଦେଶ ବ୍ୟାଟିଂ ଆରମ୍ଭ କରି ୪ ଓଭରରେ ୨ ଉଇକେଟ ହରାଇ ୩୯ ରନ୍‌ କରିଛି।

Share